ଢାକା: ବାଂଲାଦେଶ ନେତା ଉସମାନଙ୍କ ମୃତ୍ୟୁ ପର ଠାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଦେଶବ୍ୟାପୀ ଉତ୍ତେଜନା ଲାଗି ରହିଥିବା ବେଳେ ଏହାରି ଭିତରେ ଢାକାରେ ପହଞ୍ଚିଛି ମୃତ ଛାତ୍ରନେତା ଉସମାନ ହାଦିଙ୍କ ମୃତଦେହ । ଢାକା ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ବାଂଲାଦେଶରେ ଏଥିପାଇଁ ଦିନିକିଆ ଶୋକ ପାଳନ କରାଯାଇଛି । ହାଦିଙ୍କୁ ହତ୍ୟା ପରେ ବାଂଲାଦେଶରେ ବ୍ୟାପକ ହିଂସାକାଣ୍ଡ ଘଟିଛି । ଛାତ୍ରନେତା ସରିଫ୍ ଉସମାନ ହାଦିଙ୍କ ହତ୍ୟାର ପ୍ରତିବାଦରେ ତାଙ୍କ ସମର୍ଥକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ଯୁବ ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶର ରାଜଧାନୀ ଢାକାରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲା ଯେତେବେଳେ ଜନତା ଦେଶର ଦୁଇଟି ପ୍ରମୁଖ ଖବରକାଗଜ, ପ୍ରଥମ ଆଲୋ ଏବଂ ଦି ଡେଲି ଷ୍ଟାରର କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଲେ। ଡିସେମ୍ବର ୧୨ରେ ହାଦିଙ୍କ ମୁଣ୍ଡରେ ଗୁଳି ବାଜି ମୃତ୍ୟୁବରଣ କରିବା ପରେ ଏହି ଘଟଣା ଘଟିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ମଧ୍ୟରାତ୍ରିରେ ଶହ ଶହ ବିକ୍ଷୋଭକାରୀ ସ୍ଲୋଗାନ ଦେଇ ଗଣମାଧ୍ୟମ ହାଉସକୁ ଟାର୍ଗେଟ କରିଥିଲେ । ପ୍ରଥମ ଆଲୋର କାର୍ଯ୍ୟନିର୍ବାହୀ ସମ୍ପାଦକ ସଜ୍ଜାଦ ସରିଫ ଏହି ଘଟଣାକୁ ବାଂଲାଦେଶୀ ସାମ୍ବାଦିକତା ଇତିହାସର ‘କଳା ରାତି’ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ସାମ୍ବାଦିକମାନେ ପରଦିନର ଖବରକାଗଜ ଏବଂ ଅନଲାଇନ ପ୍ଲାଟଫର୍ମରେ କାମ କରୁଥିବା ସମୟରେ ଅସାମାଜିକ ତତ୍ତ୍ୱମାନେ ଗଣମାଧ୍ୟମ ହାଉସ ଉପରେ ଆକ୍ରମଣ କରିଥିଲେ।

ତେବେ କହିରଖୁଛୁ ଯେ, ଡିସେମ୍ବର ୧୨ ତାରିଖରେ ଉସମାନଙ୍କୁ ମୁଖାପିନ୍ଧା ଦୁର୍ବୃତ୍ତ ଗୁଳି କରିଥିଲେ । ୩୨ ବର୍ଷ ବୟସ୍କ ଉସମାନ ହାଦିଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ସିଙ୍ଗାପୁରକୁ ସ୍ଥାନାନ୍ତର କରାଯାଇଥିଲା । ଗତ ସପ୍ତାହରେ ଗୁଳିବିଦ୍ଧ ହୋଇଥିବା ଉସମାନ ହାଦି ଛଅ ଦିନ ଧରି ଜୀବନ ସହିତ ସଂଘର୍ଷ କରିବା ପରେ ଗୁରୁବାର ସିଙ୍ଗାପୁରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଏହାକୁ ନେଇ ତାତିଛନ୍ତି ଆନ୍ଦୋଳନକାରୀ । ଏବେ ଉସମାନ ହାଦୀଙ୍କ ମରଶରୀର ଆସି ବାଂଲାଦେଶରେ ପହଞ୍ଚିଛି । ଗତବର୍ଷ ବାଂଲାଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ହିଂସାତ୍ମକ ଆନ୍ଦୋଳନ ଆରମ୍ଭ କରିଥିଲେ ବିରୋଧୀ ଦଳ ନେତା ଉସମାନ ହାଦି । ଏବେ ବି ବାଂଲାଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ବଡ଼ ଧରଣର ହିଂସାତ୍ମକ ପ୍ରତିବାଦ ପ୍ରଦର୍ଶନ କରାଯାଉଛି ।