ନୂଆଦିଲ୍ଲୀ: ବାଂଲାଦେଶର ଢାକା ବିମାନବନ୍ଦରର କାର୍ଗୋ ଟର୍ମିନାଲ୍ରେ ଲାଗିଲା ନିଆଁ। ସାମୟିକ ଭାବେ ବିମାନ ଚଳାଚଳ ବାତିଲ୍।ନିଆଁ ଲିଭାଇବାକୁ ଅଗ୍ନିଶମ ଟିମ୍ର ଉଦ୍ୟମ ଜାରି ।
ବାଂଲାଦେଶର ହଜରତ ଶାହଜଲାଲ ଅନ୍ତର୍ଜାତୀୟ ବିମାନବନ୍ଦରର କାର୍ଗୋ ଟର୍ମିନାଲରେ ଅଗ୍ନିକାଣ୍ଡ ଘଟିଛି। ବିମାନବନ୍ଦର ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଅଗ୍ନିଶମ ବାହିନୀ ଏବଂ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବିମାନବନ୍ଦର ଭିତରକୁ ଯାଉଥିବା ରାସ୍ତାଗୁଡ଼ିକୁ ଅବରୋଧ କରାଯାଇଛି। ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରହିଛି।
ବିମାନ ବାଂଲାଦେଶ ଏୟାରଲାଇନ୍ସର ମୁଖପାତ୍ର କୌସର ମହମୁଦ କହିଛନ୍ତି ଯେ ଅଗ୍ନିକାଣ୍ଡ ଘଟିବା ମାତ୍ରେ ବିମାନବନ୍ଦର ଅଗ୍ନିଶମ ବାହିନୀ, ବାୟୁସେନା ଅଗ୍ନିଶମ ୟୁନିଟ ଏବଂ ଅନ୍ୟାନ୍ୟ ସଂସ୍ଥାର ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମିଳିତ ଭାବରେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଜାରି ରହିଛି ଏବଂ ସମସ୍ତ ବିମାନ ଚଳାଚଳ ବନ୍ଦ କରାଯାଇଛି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ।