ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ଗିରଫ ହେଲେ ୨ ଦୁର୍ବୃତ୍ତ

ସାଲେପୁର: ଲୁଟେରାଙ୍କ ସହ ଲଢ଼େଇ କରି ଛାତ୍ରୀ ଗୁରୁତର ହେବା ଘଟଣା । ୨ ଆକ୍ରମଣକାରୀ ଲୁଟେରାଙ୍କୁ ଧରିଲା ମାହାଙ୍ଗା ଥାନା ପୋଲିସ । ଦୁଇ ଆକ୍ରମଣକାରୀ ବାଲିଚନ୍ଦ୍ରପୁର ପତରାଜପୁର ଅଞ୍ଚଳର । ଏନେଇ ସୂଚନା ଦେଇଛନ୍ତି ସାଲେପୁର SDPO ବିରଞ୍ଚି ନାରାୟଣ ପତି । ତେବେ ମୋବାଇଲ୍ ଚୋରି ଉଦ୍ଦେଶ୍ୟରେ ଛାତ୍ରୀଙ୍କୁ ଆକ୍ରମଣ କରିଥିଲେ ୨ ଦୁର୍ବୃତ୍ତ । ସୂଚନାଯୋଗ୍ୟ, ଗତ ୧୯ ତାରିଖରେ କଟକ ଜିଲ୍ଲା ମାହାଙ୍ଗା ଥାନା କୁହୁଣ୍ଡ ପଂଚାୟତ ବିରୂପା ନଦୀ ବନ୍ଧ ରାସ୍ତାରେ ଜଣେ କଲେଜ ଛାତ୍ରୀଙ୍କୁ ମାରଣାସ୍ତ୍ରରେ ହାଣି ଲୁଟ ଉଦ୍ୟମ କରି ଫେରାର୍ ହୋଇଯାଇଥିଲେ ଦୁର୍ବୁତ୍ତ । ଛାତ୍ରୀ ଜଣଙ୍କ ଦୁର୍ବୃତ୍ତଙ୍କ ସହ ଘମାଘୋଟ ଲଢେଇ କରି ନିଜକୁ ରକ୍ଷା କରିଥିଲେ । କିନ୍ତୁ ଦୁର୍ବୃତ୍ତଙ୍କ ଆକ୍ରମଣରେ ଛାତ୍ରୀ ଜଣଙ୍କ ଗୁରୁତର ଆହତ ହୋଇଥିଲେ । ଆହତ ଅବସ୍ଥାରେ ତାଙ୍କୁ ପ୍ରଥମେ ମାହାଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଥିଲେ ପରେ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଛାତ୍ରୀ ଜଣକ ହେଉଛନ୍ତି କୁଆଁପାଳ ଜେ.ଏନ କଲେଜର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ସୁଭାସ୍ମିତା ସାହୁ । ଛାତ୍ରୀଙ୍କ ଡାହାଣ ହାତ ବାହୁକୁ ଦୁର୍ବୁତ୍ତମାନେ ହାଣିବା ପରେ ମୋବାଇଲ ଫୋନ୍‍ ଏବଂ ପର୍ସ ଛଡାଇ ନେବାକୁ ଉଦ୍ୟମ କରିଥିଲେ ।