ଅଷ୍ଟମ ଶ୍ରେଣୀ ବହିରୁ ‘ପାଇକ ବିଦ୍ରୋହ’ ବିଷୟ ବାଦ୍‌: କ୍ଷୋଭ ପ୍ରକାଶ କଲେ ନବୀନ

ନୂଆଦିଲ୍ଲୀ: ନ୍ୟାସନାଲ କାଉନସିଲ ଅଫ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ(ଏନସିଇଆରଟି) ଦ୍ୱାରା ପ୍ରସ୍ତୁତ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରୁ ‘ପାଇକ ବିଦ୍ରୋହ’ ବିଷୟ ବାଦ୍ ପଡ଼ିଛି । ସାମାଜିକ ବିଜ୍ଞାନର ଦ୍ଵିତୀୟ ଖଣ୍ଡରେ ପାଇକ ବିଦ୍ରୋହ ବିଷୟ ସ୍ଥାନ ପାଇବ ବୋଲି କହିଛି ଏନସିଇଆରଟି । ଯାହାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ ଏକ ପୋଷ୍ଟ କରି ଲେଖିଛନ୍ତି, ‘ପାଇକ ବିଦ୍ରୋହ ଓଡ଼ିଶା ଇତିହାସରେ ଏକ ଐତିହାସିକ ମୁହୂର୍ତ୍ତ । ୧୮୧୭ରେ ଓଡ଼ିଶାର ବୀର ପାଇକମାନେ ଅଭୂତପୂର୍ବ ସାହସ ପ୍ରଦର୍ଶନ କରି ବ୍ରିଟିଶ ଶାସନ ବିରୋଧରେ ଲଢ଼ିଥିଲେ  । ଏହାକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି  ।  ନାସନାଲ କାଉନସିଲ ଅଫ ଏଜକେସନନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ-ଏନସିଇଆରଟି ସାମାଜିକ ପାଠ୍ୟପୁସ୍ତକରୁ ପାଇକ ବିଦ୍ରୋହ ବିଷୟ ବାଦ ଦେବା ଆମର ବୀର ପାଇକଙ୍କ ପ୍ରତି ଘୋର ଅସମ୍ମାନ  ।  ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ପାଇକ ବିଦ୍ରୋହ ସଂଘଟିତ ହୋଇଥିଲା  ।  ଏହା ବ୍ରିଟିଶ ଶାସନ ବିରୋଧରେ ଜନ ଆନ୍ଦୋଳନ ପାଇଁ ଆଲୋକବର୍ତ୍ତିକା ।‘

ସେପଟେ ଏନସିଇଆରଟି ଏକ ପ୍ରେସ୍ ବିବୃତ୍ତି ଜାରି କରି ସ୍ପଷ୍ଟ କରିଛି ଯେ ସଦ୍ୟ ପ୍ରକାଶିତ ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ “ଏକ୍ସପ୍ଲୋରିଂ ସୋସାଇଟି: ଇଣ୍ଡିଆ ଏଣ୍ଡ୍ ବିୟଣ୍ଡ” ପ୍ରଥମ ଖଣ୍ଡ ଅଟେ । ଖୁବ ଶୀଘ୍ର ଏହାର ଦ୍ୱିତୀୟ ଖଣ୍ଡ ପ୍ରକାଶ ପାଇବାକୁ ଯାଉଛି, ଯାହାକି ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟରେ ରହିଛି । ଚଳିତ ଶିକ୍ଷା ବର୍ଷର ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ଦ୍ୱିତୀୟ ଖଣ୍ଡ ପ୍ରକାଶ ପାଇବ । ଯେଉଁଥିରେ ଆଞ୍ଚଳିକ ଆନ୍ଦୋଳନ ତଥା ସଶସ୍ତ୍ର ବିଦ୍ରୋହକୁ ସ୍ଥାନିତ କରାଯାଇଛି । ଯେପରିକି ପାଇକ ବିଦ୍ରୋହ/ ଓଡ଼ିଶାର ଖୋର୍ଦ୍ଧା ବିଦ୍ରୋହ ଏବଂ କୁକା ଆନ୍ଦୋଳନ/ପଞ୍ଜାବରେ ଶିଖ ବିଦ୍ରୋହ ଇତ୍ୟାଦି ବିଷୟଗୁଡ଼ିକ ଉପରେ ଆଲୋଚନା କରାଯିବ ।