ଭୁବନେଶ୍ୱର:- ରାଜ୍ୟରେ ମିଶ୍ରଣ ପରେ ରାଜ୍ୟ ସରକାର ବନ୍ଦ ହୋଇଥିବା ସ୍କୁଲ ମଧ୍ୟରୁ ୪୬ଟିର ତାଲା ଖୋଲିଛନ୍ତି। ଆଉ ୪ଟି ସ୍କୁଲ ଖୁବ୍ଶୀଘ୍ର ଖୋଲିବାକୁ ଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ପୂର୍ବ ସରକାରଙ୍କ ସମୟରେ ଛାତ୍ରୀଛାତ୍ରଙ୍କ କମ୍ ଉପସ୍ଥାନ ଥିବା ରାଜ୍ୟର ପ୍ରାୟ ୭୭୫୧ଟି ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହାକୁ ସେତେବେଳେ ବିଜେପି ସମେତ ବିଭିନ୍ନ ମହଲରୁ ତୀବ୍ର ବିରୋଧ କରାଯାଇଥିଲା। ଏହାଦ୍ୱାରା ସ୍କୁଲରେ ଡ୍ରପ୍ଆଉଟ୍ ହାର ବଢ଼ିବ। ବିଶେଷକରି ଦୁର୍ଗମ ଅଞ୍ଚଳରେ ଛାତ୍ରୀଛାତ୍ର ଶିକ୍ଷାଦାନରୁ ବଞ୍ଚିତ ହେଉଥିବା ଅଭିଯୋଗ ଉଠିଥିଲା। ହେଲେ ତତ୍କାଳୀନ ସରକାର ଏଦିଗରେ ଦୃଢ ପଦକ୍ଷେପ ଗ୍ରହଣ କରି ନ ଥିବାବେଳେ ଏବେ ବିଜେପି ସରକାର ଏହାକୁ ଗୁରୁତ୍ୱର ସହ ନେଇ ବନ୍ଦ ହୋଇଯାଇଥିବା ସ୍କୁଲଗୁଡିକୁ ପୁଣି ଖୋଲିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସର୍ବାଧିକ ଢେଙ୍କାନାଳ ଜିଲ୍ଲାର ୨୨ଟି ସ୍କୁଲ, ଦେଓଗଡ଼ରେ ୧୦ଟି ସ୍କୁଲ, ବରଗଡରେ ୭ଟି ଓ ଖୋର୍ଦ୍ଧାରେ ୩ଟି ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି।