ସୁବର୍ଣ୍ଣପୁର ଜିଲ୍ଲାରେ ପାନୀୟ ଜଳ ନାଁରେ ଜହର ବିକ୍ରି କରାଯାଉଛି । ଭୁବନେଶ୍ବର ସ୍ଥିତ ଷ୍ଟେଟ୍ ଫୁଡ୍ ଟେଷ୍ଟି ଲାବରେଟୋରିରେ ପାଣି ନମୁନା ପରୀକ୍ଷା ପରେ ଏହା ସ୍ପଷ୍ଟ ହୋଇଛି। ଫୁଡ୍ ସେପ୍ଟି କମିଶନରଙ୍କ ଚିଠି ପରେ ସୁବର୍ଣ୍ଣପୁର ସହର ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ପଛ ପାର୍ଶ୍ଵରେ ଥିବା ଏସ୍ଏସ୍ ସୁରେଶ୍ୱରୀ ପ୍ୟାକେଜଡ଼ ଡ୍ରିଙ୍କି ୱାଟର ୟୁନିଟ୍କୁ ଗୁରୁବାର ରାତିରେ ସିଲ୍ କରାଯାଇଛି । ଏହାର ବ୍ରାଣ୍ଡ ନାମ ଆଇ ବ୍ଲୁ ଏହି ୟୁନିଟ୍ଟି ସୁବର୍ଣ୍ଣପୁର ପୌରାଧ୍ୟକ୍ଷା ତାମସ୍ମିତା ନାୟକଙ୍କ ମାଲିକାନାରେ ଅଛି । ମାଜିଷ୍ଟ୍ରେଟ୍ ତଥା ସୋନପୁର ଅତିରିକ୍ତ ତହସିଲଦାର ଯୋଗେଶ୍ବର ଧରୁଆଙ୍କ ଉପସ୍ଥିତିରେ ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁ, ଖାଦ୍ୟ ସୁରକ୍ଷା ଅଧିକାରୀ ସସ୍ମିତା ନାୟକ, ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଏ କେ ମୂର୍ତି, କନିଷ୍ଠ ଯନ୍ତ୍ରୀ ଶର୍ମିଷ୍ଠା ଦାଶ ଓ ପୋଲିସ ଏହି ୟୁନିଟକୁ ସିଲ୍ କରିଛନ୍ତି । ୟୁନିଟକୁ ବନ୍ଦ କରିବା ସହ ବଜାରକୁ ଛଡା ଯାଇଥିବା ପାଉଚ ଓ ପାଣି ବୋତଲ ଫେରାଇ ଆଣିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।