ବିବାଦ ପରେ ଦିନକୁ ବିକ୍ରି ହେଉଛି ସାଢେ ୩ଲକ୍ଷରୁ ଅଧିକ ତିରୁପତି ଲଡୁ….

ବ୍ୟୁରୋ : ବିବାଦ ପରେ ବି ଜୋରସୋର ବିକ୍ରି ହେଉଛି ତିରୁପତି ମନ୍ଦିରର ଲଡୁ । ମନ୍ଦିର ଅଧିକାରୀଙ୍କ କହିବା ଅନୁଯାୟୀ, ମାତ୍ର ୪ ଦିନ ମଧ୍ୟରେ ବିକ୍ରି ହୋଇଛି ୧୪ଲକ୍ଷରୁ ଅଧିକ ଲଡୁ। ଏକ ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ୧୯ ତାରିଖରେ ୩.୫୯ ଲକ୍ଷ ଲଡୁ ବିକ୍ରି ହୋଇଥିବା ବେଳେ ୨୦ ତାରିଖରେ ୩.୧୭ ଲକ୍ଷ, ୨୧ରେ ୩.୬୭ ଲକ୍ଷ ଏବଂ ସେପ୍ଟେମ୍ବର ୨୨ରେ ୩.୬୦ ଲକ୍ଷ ଲଡୁ ବିକ୍ରି ହୋଇଛି ।
ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଦୈନିକ ହାରାହାରି ୩.୫୦ ଲକ୍ଷ ଲଡୁ ବିକ୍ରି ହେଉଛି । ପ୍ରତିଦିନ ମନ୍ଦିରରେ ୩ ଲକ୍ଷରୁ ଅଧିକ ଲଡୁ ତିଆରି ହୋଇଥାଏ । ଏହି ଲଡୁ ତିଆରି ପାଇଁ ଗାଈ ଘିଅ, ବଙ୍ଗଳା ଚଣା, ଚିନି, କାଜୁ, କିସମିସ୍ ଏବଂ ବାଦାମ ବ୍ୟବହାର କରାଯାଏ । ଏହାକୁ ତିଆରି କରିବା ପାଇଁ ପ୍ରତିଦିନ ପାଖାପାଖି ୧୫,୦୦୦ କେଜି ଗାଈ ଘିଅ ବ୍ୟବହାର ହୁଏ।
ପ୍ରକାଶ ଯୋଗ୍ୟ ଯେ, ତିରୁପତି ତିରୁମାଳା ମନ୍ଦିରର ଲଡ଼ୁ ତିଆରି ପାଇଁ ପଶୁ ଚର୍ବି ବ୍ୟବହାର ହେଉଥିବା ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ ଆଣିଥିଲେ । ତାଙ୍କ କହିବାନୁଯାୟୀ ପୂର୍ବର ଜଗନ ସରକାର ଏଭଳି କରିଥିଲେ । ପରେ NDDB CALF ନାମକ ଘରୋଇ ଲ୍ୟାବରେ ଲଡ଼ୁର ମାନ ପରୀକ୍ଷଣ କରାଯାଇଥିଲା । ପରୀକ୍ଷଣ ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ସତ ସାବ୍ୟସ୍ତ ହୋଇଥିଲା । ଅନ୍ୟପଟେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ସମସ୍ତ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏବଂ କହିଛନ୍ତି ଭଗବାନଙ୍କ ନାମରେ ଏଠାରେ ରାଜନୀତି କରାଯାଉଛି ।