କେନ୍ଦ୍ରାପଡ଼ା/ମହେଶ ପାଢ଼ୀ : ଆଗକୁ ଆସୁଛି ପାର୍ବଣ ଋତୁ | ଆଉ ପାର୍ବଣକୁ ଖୁବ ଆଡମ୍ବରର ସହିତ ପାଳନ କରିବେ ଓଡିଶାବାସୀ | ପ୍ରଥମେ ଦଶହରା ଆଉ ପରେ ପରେ ଗଜଲକ୍ଷ୍ମୀ ପୂଜା |କେନ୍ଦ୍ରାପଡ଼ାର ଗଜଲକ୍ଷ୍ମୀ କହିଲେ ଟିକିଏ ନିଆରା | ଗଜଲକ୍ଷ୍ମୀ ପୂଜା ପାଁଇ ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଓଡିଶା ପ୍ରସିଦ୍ଧ, କିନ୍ତୁ କେନ୍ଦ୍ରାପଡ଼ାର ଗଜଲକ୍ଷ୍ମୀ ଏଇଥିପାଁଇ ନିଆରା କାରଣ କେନ୍ଦ୍ରାପଡ଼ା ହେଉଛି ଭାଇଚାରାର ସହର ଆଉ ଏଠି ହିନ୍ଦୁ ମୁସଲମାନ ଭାଇ ଭାଇ | ଦୁଇଟି ସମ୍ପ୍ରଦାୟର ଲୋକମାନେ ଖୁବ ଆନନ୍ଦ ଉଦିପନ୍ନାର ସହିତ ପାଳନ କରିଥାନ୍ତି ଗଜଲକ୍ଷ୍ମୀ ପୂଜା | କେନ୍ଦ୍ରାପଡ଼ାର ଗଜଲକ୍ଷ୍ମୀ ପୂଜା ଦେଖିବାକୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଲୋକମନେ ଛୁଟି ଆସିଥାନ୍ତି | ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ଆଉ କିଛି ଦିନ ବାକି ଥିବାବେଳେ ପୂଜା ପାଁଇ ପ୍ରସ୍ତୁତି ବୈଠକ ପୌରପାଳିକା ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି |
ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମଦକର ସମ୍ବିତ ସମ୍ପଦ, ଉପ-ଜିଲ୍ଲାପାଳ ରବୀନ୍ଦ୍ର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ)-ଶ୍ରୀ ନିଲୁ ମହାପାତ୍ର,ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଳନ୍ଧର ଜାଲି,କେନ୍ଦ୍ରାପଡ଼ା ଏସଡିପିଓ ଦେବେନ୍ଦ୍ର ମଲିକ,କେନ୍ଦ୍ରାପଡ଼ା ତହସିଲଦାର ଅଞ୍ଜଳି ତରାଇ,କେନ୍ଦ୍ରାପଡ଼ା ଟାଉନ ଥାନା ଅଧିକାରୀ ଦିଲ୍ଲୀପ ସାହୁଙ୍କ ସମେତ ଜିଲ୍ଲାର ପାନୀୟଜଳ,ବିଦ୍ୟୁତ ଆଦି ଜରୁରୀକାଳୀନ ଭାବରେ ପୂଜା ସହିତ ଜଡ଼ିତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ | ସହରର ବିଭିନ୍ନ ପୂଜା କମିଟିର କାର୍ଯ୍ୟକର୍ତ୍ତାମାନେ ସେମାନଙ୍କ ସମସ୍ୟା ବିଷୟରେ ପ୍ରଶାସନକୁ ଜଣାଇଥିଲେ |
ପ୍ରଶାସନିକ ଅଧିକାରୀମାନେ କିପରି ସମାନଙ୍କ ସମସ୍ୟାର ସମାଧାନ କରାଯିବ ତା ସହିତ ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯିବ ସେ ଦିଗରେ ଆଲୋଚନା କରାଯାଇଥିଲା | ଜିଲ୍ଲାପାଳ ଅମ୍ରିତ ଋତୁରାଜ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପୂଜା କମିଟିର ସଦସ୍ୟମାନଙ୍କୁ କହିଥିଲେ ଅନୁଷ୍ଠାନରର କର୍ମକର୍ତ୍ତା ଓ ପ୍ରଶାସନ ଉଭୟଙ୍କ ଭିତରେ ଉତ୍ତମ ବୁଝାବଣା ଓ ସୁସମ୍ପର୍କ ରହିଲେ ହିଁ ଚଳିତ ବର୍ଷର ଗଜଲକ୍ଷ୍ମୀ ପୂଜା ପୂର୍ବ ବର୍ଷ ପରି ସରସ ସୁନ୍ଦର ଓ ସ୍ୱହାର୍ଦ୍ୟପୂର୍ଣ୍ଣ ହୋଇପାରିବ | ଡିଜେରେ ବ୍ୟବହାର କରାଯାଉଥିବା ଭାଇବ୍ରେସନକୁ ନ ବ୍ୟବହାର କରିବାକୁ ଏବଂ ଭସାଣିରେ ମଦ୍ୟପାନ ନକରିବାକୁ ପୂଜା କମିଟିର ସଦସ୍ୟ ମାନଙ୍କୁ ବୁଝାଇଥିଲେ କେନ୍ଦ୍ରାପଡ଼ା ଏସଡିପିଓ ଦେବେନ୍ଦ୍ର ମଲିକ | ଡିଜେ ମେସିନରେ ବ୍ୟବହାର କରାଯାଉଥିବା ଭାଇବ୍ରେସନ ପାଁଇ ହୃଦ ରୋଗୀ ମାନେ ପ୍ରଭାବିତ ହେଉଥିବା ବେଳେ ଅନେକ ଜାଗାରେ ଜୀବନ ହାନି ଭଳି ସମସ୍ୟା ମଧ୍ୟ ଉପୁଜିଛି | ଏହା ଉପରେ ଦୃଷ୍ଟି ଦେବା ପାଁଇ ଶ୍ରୀ ମଲିକ ପୂଜା କମିଟିର କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ |