ଅର୍ଚ୍ଚନା ନାଗଙ୍କ ପ୍ରମୁଖ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କୁ ହାଇକୋର୍ଟରୁ ଝଟକା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ଅର୍ଚ୍ଚନା ନାଗଙ୍କ ପ୍ରମୁଖ ସହଯୋଗୀ କୁହାଯାଉଥିବା ଶ୍ରଦ୍ଧାଞ୍ଜଳିଙ୍କୁ ହାଇକୋର୍ଟରୁ ଝଟକା ମିଳିଛି । ଓକିଲ ଜରିଆରେ ହାଜର ହେବା ନିମନ୍ତେ ଶ୍ରଦ୍ଧାଞ୍ଜଳି କରିଥିବା ଆବେଦନକୁ ଖାରଜ କଲେ କୋର୍ଟ । ଆବେଦନ ଖାରଜ କରିବା ସହ ସିବିଆଇ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସିବିଆଇ କୋର୍ଟଙ୍କ ସମନ ସତ୍ତେ୍ୱ ଶ୍ରଦ୍ଧାଞ୍ଜଳି ହାଜର ହେଉନଥିଲେ । ଏନେଇ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଏନ୍ବିଡବ୍ଲ୍ୟୁ ମଧ୍ୟ ଜାରି କରିଥିଲା ସିବିଆଇ କୋର୍ଟ । ଓକିଲ ଜରିଆରେ ହାଜର ପାଇଁ କୋର୍ଟରେ ଆବେଦନ କରିଥିଲେ ଶ୍ରଦ୍ଧାଞ୍ଜଳି । ମାତ୍ର ତଳ କୋର୍ଟ ଆବେଦନ ଖାରଜ କରିବାରୁ ହାଇକୋର୍ଟ ମଧ୍ୟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି। ତେଣୁ ଏବେ ସିବିଆଇ କୋର୍ଟରେ ଶ୍ରଦ୍ଧାଞ୍ଜଳି ହାଜର ହେବା ଏକ ପ୍ରକାର ପକ୍କା ହୋଇ ଯାଇଛି। ଏହାପରେ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ସିବିଆଇ କୋର୍ଟ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରିଛନ୍ତି । ପରବର୍ତ୍ତୀ ତାରିଖରେ ହାଜର ନ ହେଲେ ଗିରଫ ହେବେ ଶ୍ରଦ୍ଧାଞ୍ଜଳି ବେହେରା ।
ସୂଚନାନୁସାରେ,ସେସନ୍ସ କୋର୍ଟରେ ଇଡି ଦାଖଲ କରିଥିବା ଚାର୍ଜସିଟ୍ରେ ଶ୍ରଦ୍ଧାଞ୍ଜଳିଙ୍କ ନାଁ ଉଲ୍ଲେଖ ରହିଛି। ଇଡି ପକ୍ଷରୁ ଅର୍ଚ୍ଚନା ନାଗ, ସ୍ୱାମୀ ଜଗବନ୍ଧୁ ଚାନ୍ଦ, ସହଯୋଗୀ ଖଗେଶ୍ୱର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ମୋଟ ୨ ହଜାର ୨୪୧ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି। ଉକ୍ତ ମାମଲାରେ ଶ୍ରଦ୍ଧାଞ୍ଜଳି ଅଭିଯୁକ୍ତ ଥିବାରୁ ତାଙ୍କୁ ଆଗୁଆ ଜାମିନ ଦେବାକୁ ପୂର୍ବରୁ ମନା କରି ସାରିଛନ୍ତି ହାଇକୋର୍ଟ।