ସାଇବର ଠକଙ୍କ ଜାଲରେ ଅବସରପ୍ରାପ୍ତ କର୍ଣ୍ଣେଲ; ଲୁଟିନେଲେ ୨.୫ କୋଟି ଟଙ୍କା

ପୁଣିଥରେ ସାଇବର ଠକଙ୍କ ଜାଲରେ ଫସିଛନ୍ତି ଅବସରପ୍ରାପ୍ତ ଆର୍ମି କର୍ଣ୍ଣେଲ । ପ୍ରଶାସନ ଓ ପୁଲିସ୍ ଅନେକ ସଚେତନତା ସୃଷ୍ଟି କରୁଥିଲେ ମଧ୍ୟ ଲୋକମାନେ ଲୋଭର ବଶବର୍ତ୍ତୀ ହୋଇ ବାରମ୍ବାର ଠକାମୀର ଶିକାର ହେବାରେ ଲାଗିଛନ୍ତି। ତେବେ ଅଧିକ ଟଙ୍କା ରୋଜଗାର କରିବାର ଲୋଭ ଦେଖାଇ ସାଇବର ଠକମାନେ ୭୧ ବର୍ଷୀୟ ଜଣେ ଅବସରପ୍ରାପ୍ତ ଆର୍ମି କର୍ଣ୍ଣେଲଙ୍କ ଠାରୁ ୨.୫ କୋଟି ଟଙ୍କା ଠକି ନେଇଛନ୍ତି। ଏପ୍ରିଲରୁ ମେ’ ମାସ ମଧ୍ୟରେ ସାଇବର ଠକମାନେ ଏତେ ପରିମାଣର ଠକେଇ କରିଥିବା ବେଳେ ଏବେ ପୂରା ଘଟଣା ସାମ୍ନାକୁ ଆସିଛି। ପୀଡ଼ିତ ଜଣଙ୍କ ପୁଣେ ସାଇବର ପୁଲିସ୍ ନିକଟରେ ଏନେଇ ଅଭିଯୋଗ କରିବା ସହ ଟଙ୍କା ଫେରାଇ ଆଣିବାକୁ ନିବେଦନ କରିଛନ୍ତି।

ଅଭିଯୋଗ ପରେ ସାଇବର ପୁଲିସ୍ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି। ବରିଷ୍ଠ ପୁଲିସ୍ ଇନସପେକ୍ଟର ମୀନାଲ ପାଟିଲ କହିଛନ୍ତି, “କର୍ଣ୍ଣେଲ ଜଣଙ୍କ ବୁଣ୍ଡ ଗାର୍ଡେନ ଅଞ୍ଚଳରେ ରୁହନ୍ତି। ସେ ଆମକୁ କହିଛନ୍ତି ଯେ ତାଙ୍କ ପାଖକୁ ହ୍ୱାଟସଆପ୍ରେ ଗୋଟିଏ ମେସେଜ ଆସିଥିଲା। ଏଥିରେ ତାଙ୍କୁ ଅନଲାଇନରେ ସୀମକ୍ଷା ରିପୋର୍ଟ ଓ ଭିଡିଓ ଲାଇକ କଲେ ଭଲ ଟଙ୍କା ମିଳିବ ବୋଲି କୁହାଯାଇଥିଲା। ମେସେଜରେ କୁହାଯାଇଥିଲା ଯେ କର୍ଣ୍ଣେଲ ଯେତେବେଳେ ବି ଫ୍ରି ରହିବେ, ଘରେ ବସି କାମ କରିପାରିବେ। ଏଥିପାଇଁ ତାଙ୍କୁ ମୋଟା ଅଙ୍କର ଟଙ୍କା ମଧ୍ୟ ମିଳିବ ବୋଲି ପ୍ରସ୍ତାବ ଦିଆଯାଥିଲା।

ଟଙ୍କା କଥା ଶୁଣିବା ପରେ ସେ ମେସେଜକୁ ଖୋଲିଥିଲେ। ସେ ଲିଙ୍କରେ କ୍ଲିକ କରିବା ମାତ୍ରେ ସାଇବର ଠକମାନେ ତାଙ୍କୁ ଠକିବା ଆରମ୍ଭ କରି ଦେଇଥିଲେ। କିନ୍ତୁ ତାଙ୍କୁ ଆଉ ଫୋନ କରି ନଥିଲେ। ପ୍ରାଥମିକ ଅବସ୍ଥାରେ କର୍ଣ୍ଣେଲଙ୍କ ବିଶ୍ୱାସ ଜିତିବା ପାଇଁ ସାଇବର ଠକମାନେ ତାଙ୍କୁ କିଛି ଟଙ୍କା ଟ୍ୟାକ୍ସ ପାଇଁ ଦେଇଥିଲେ। ଏହାପରେ ତାଙ୍କୁ ଅଧିକ ଟଙ୍କାର ଟ୍ୟାକ୍ସ ପାଇଁ ପୁଞ୍ଜି ନିବେଶ ପାଇଁ କହିଥିଲେ। କର୍ଣ୍ଣେଲ ମଧ୍ୟ ସେମାନଙ୍କ କଥାରେ ବିଶ୍ୱାସ କରି ବିଭିନ୍ନ ପର୍ୟ୍ୟାୟରେ ଟଙ୍କା ପଠାଇବା ଆରମ୍ଭ କରିଥିଲେ। ମାସକ ମଧ୍ୟରେ ସେ ମୋଟ ୪୮ଟି ଆକାଉଣ୍ଟକୁ ମୋଟ ୨.୫ କୋଟି ଟଙ୍କା ପଠାଇଥିଲେ ମଧ୍ୟ ଏହା ବଦଳରେ କିଛି ବି ପାଇ ନଥିଲେ। ଶେଷରେ ସେ ଠକାମୀରେ ପଡ଼ିଥିବା ଅନୁଭବ କରି ସାଇବର ପୁଲିସ୍ରେ ଅଭିଯୋଗ କରିଛନ୍ତି।