ଦୁର୍ଘଟଣା ସଂକ୍ରାନ୍ତରେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟାକୁ ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ଦୃଢ ଭାବେ ଖଣ୍ଡନ
କଟକ: ବାହାନଗା ରେଳ ଦୁର୍ଘଟଣା ସଂକ୍ରାନ୍ତରେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟାକୁ ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ଦୃଢ ଭାବେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଏଭଳି ଏକ ଅଭାବନୀୟ ଘଟଣାରେ ସାରା ଦେଶବାସୀ ମ୍ରିୟମାଣ ହୋଇ ପଡିଥିଲା ବେଳେ ବିଜୟ ମହାପାତ୍ରଙ୍କ ଭଳି ଜଣେ ଦୂରଦୃଷ୍ଟି ସମ୍ପର୍ଣ୍ଣ ନେତା ତଥାକଥିତ ବିରୋଧୀ ଦଳ ନେତାଙ୍କ ଭଳି ନିଜର ରାଜନୈତିକ ଉଦ୍ଦେଶ୍ୟ ରଖି ମନ୍ତବ୍ୟ ଦେବା ଆଦୌ ଉଚିତ ହୋଇନାହିଁ ।
ଯେତେବେଳେ ଘଟଣାର ପ୍ରକୃତ କାରଣ ଓ ଦୋଷୀଙ୍କୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ସିବିଆଇ ଭଳି ଦେଶର ସର୍ବୋଚ ବିଶ୍ୱସନୀୟ ତଦନ୍ତକାରୀ ସଂସ୍ଥା ନିରପେକ୍ଷ ତଦନ୍ତ ଜାରି ରଖିଛି ସେହି ସମୟରେ ବିଜୟ ବାବୁଙ୍କ ଏଭଳି ଖାମଖିଆଲ ମନ୍ତବ୍ୟ ଜନସାଧରଣଙ୍କୁ ଭ୍ରମିତ କରିବାପାଇଁ ଉଦ୍ଦିଷ୍ଟ । ବିଜୟ ଏଭଳି ମନ୍ତବ୍ୟ ରଖି ଭାରତୀୟ ଜନତା ପାର୍ଟି ସମେତ ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତି ଥିବା ନିଜ ଅସହିଷ୍ଣୁତାକୁ ପଦାରେ ପକାଇଛନ୍ତି । ପ୍ରକୃତରେ ଯଦି ବିଜୟ ବାବୁଙ୍କ ପାଖରେ ଏତେ ସବୁ ତଥ୍ୟ ଥିଲା ତେବେ ଗଣମାଧ୍ୟମ ଆଗରେ ରଖିବା ପୃର୍ବରୁ ଦେଶବାସୀଙ୍କ ସ୍ୱର୍ଥ ଦୃଷ୍ଟିରୁ ରେଳ ମନ୍ତ୍ରୀ କିମ୍ବା ରେଳ ବିଭାଗକୁ ଜଣାଇଥିଲେ ଅସୁବିଧା କେଛଁଠି ଥିଲା ? ଏବେ ଘଟଣା ଘଟିବା ପରେ ଏଭଳି ମନ୍ତବ୍ୟ ରଖି କେବଳ ନିଜକୁ ଗଣମାଧ୍ୟମରେ ବଞ୍ଚାଇ ରଖିବା ପାଇଁ ଉଦ୍ୟମ କରିଛନ୍ତି । ମୋଦି ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ଉପରେ ଦେଶବାସୀଙ୍କ ଅଖଣ୍ଡ ବିଶ୍ୱସ ଓ ଭରସା ରହିଛି । ଘଟଣାରେ ଦୋଷୀ ଏବଂ ତା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇସାରିଛନ୍ତି । ତେଣୁ ବିଜୟ ବାବୁ ଜନସାଧାରଣଙ୍କୁ ଭ୍ରମିତ କରିବା ପାଇଁ ଯେତେ ଦାୟିତ୍ୱହୀନ ତଥା ବେପରୁଆ ମନ୍ତବ୍ୟ ଦେଲେ ମଧ୍ୟ ଏହାର କିଛି ପ୍ରଭାବ ପଡିବ ନାହିଁ ।