ଲାଞ୍ଚ ନେବା ମାମଲାରେ ଆଇଏଏସ ଅଫିସର ଗିରଫ
ଲାଞ୍ଚ ନେବା ମାମଲାରେ ଜଣେ ଆଇଏଏସ ଅଫିସରଙ୍କୁ ଏସଆଇଟି ଓ ଫରିଦାବାଦ ପୁଲିସ ମିଳିତ ଭାବେ ଗିରଫ କରିଛି । ଅଭିଯୁକ୍ତ ଆଇଏଏସ ଅଫିସର ଜଣକ ହେଉଛନ୍ତି ଧର୍ମେନ୍ଦ୍ର ସିଂ ଏବଂ ସେ ଦିଲ୍ଲୀର ହରିୟାଣା ଭବନରେ ରେସିଡେଣ୍ଟ କମିଶନର ଭାବେ କାର୍ଯ୍ୟ କରୁଛନ୍ତି । ସେ ସୋନିପଥ ମ୍ୟୁନିସିପାଲ କମିଶନର ଥିବା ସମୟରେ ଏହି ଲାଞ୍ଚ କାରବାର ହୋଇଥିଲା। ସୋନିପଥ ମ୍ୟୁନିସିପାଲିଟିରେ ଏକ ଟେଣ୍ଡର କରାଇଦେବା ନିମନ୍ତେ ଲଳିତ ମିତ୍ତଲ ନାମକ ଜଣେ କଣ୍ଟ୍ରାକ୍ଟରଙ୍କଠାରୁ ସେ ଏକ କୋଟି ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ମାତ୍ର ଟଙ୍କା ଦେବା ସତ୍ତେ୍ୱ ଟେଣ୍ଡର ନ ମିଳିବାରୁ କଣ୍ଟ୍ରାକ୍ଟର ଜଣକ କୋଟୱାଲି ଥାନାର ଦ୍ୱାରସ୍ଥ ହୋଇଥିଲେ । ଅନ୍ୟ ଏକ ଘଟଣାକ୍ରମରେ ଧର୍ମେନ୍ଦ୍ର ସିଂ ଏକ ଟେଣ୍ଡରର ନିର୍ଦ୍ଧାରିତ ମୂଲ୍ୟ ୫୫ କୋଟିରୁ ୮୭ କୋଟିକୁ ବୃଦ୍ଧି କରି ସେ ତାହାକୁ ପାସ୍ କରିଥିଲେ। ସୋନିପଥ ମ୍ୟୁନିସିପାଲିଟି କମିଶନର ଥିବା ବେଳେ ଧର୍ମେନ୍ଦ୍ର ସିଂ ବହୁ ନିର୍ମାଣ କାର୍ୟ୍ୟରେ ଅନିୟମିତତା କରି ବେଆଇନ ଭାବେ ଅର୍ଥ ଉପାର୍ଜନ କରିଥିବା ଅଭିଯୋଗ ହୋଇଥିଲା। ପୁଲିସ୍ ଏହି ଅଭିଯୋଗର ତଦନ୍ତ ଆରମ୍ଭ କରିଥିବା ବେଳେ ଗତକାଲି ତାଙ୍କୁ ଗିରଫ କରିଛି ।