ରାଜ୍ୟରେ ଘାତକ ହେଲାଣି ବଜ୍ରପାତ, ବର୍ଷକୁ ଯାଉଛି ୨୯୩ ଜଣଙ୍କ ଜୀବନ, ରୋକିବା ପାଇଁ ନାହିଁ କିଛି ବ୍ୟବସ୍ଥା

ଭୁବନେଶ୍ୱର: ବଜ୍ରପାତ ଜନିତ ମୃତ୍ୟୁ ସାଂଘାତିକ ହେଲାଣି । ହାତୀ ଆକ୍ରମଣରେ ରାଜ୍ୟରେ ଯେତିକି ନାଗରିକ ପ୍ରାଣ ହରାଉ ନାହାନ୍ତି ତା ଠୁ ଅଧିକ ବଜ୍ରପାତରେ ଯାଉଛି ଜୀବନ । ତଥ୍ୟ କହୁଛି ରାଜ୍ୟରେ ବର୍ଷକୁ ୧୧୨ ଜଣ ନାଗରିକ ପ୍ରାଣ ହରାଉଥିବା ବେଳେ ବଜ୍ରପାତ କିନ୍ତୁ ହାରାହାରି ୨୯୩ ଜଣଙ୍କର ଜୀବନ ନେଉଛି ପ୍ରତିବର୍ଷ । ଏହି ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ବିଧାନସଭାରେ ଉତର ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ଗତ ୩ ବର୍ଷରେ୮୮୧ ଜଣ ନାଗରିକ କେବଳ ବଜ୍ରପାତରେ ପ୍ରାଣ ହରାଇଛନ୍ତି । ଏଥି ସହ ୫୨ ଜଣ ଆହତ ହୋଇଛନ୍ତି । ଅନୁକମ୍ବା ରାଶି ବାବଦରେ ୩୫ କୋଟି ୨୪ ଲ କ୍ଷ ଟଙ୍କା ପ୍ରଦାନ କରା ଯାଇଛି । ସେହିପରି ବଜ୍ରପାତରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ମୋଟ ୨ ଲକ୍ଷ ୬୫ ହଜାର ଟଙ୍କା ପ୍ରଦାନ କରା ଯାଇଛି ।
ତେବେ କଣ ପାଇଁ ରାଜ୍ୟରେ ବଢି ଚାଲିଛି ବଜ୍ରପାତ ପ୍ରହାର ? ପାଣିପାଗ ବିିଶେଷଜ୍ଞ ସୂଚନା ଅନୁସାରେ ଭାରତର ୪ଟି ରାଜ୍ୟ ବଜ୍ରପାତ ପ୍ରବଣ । ଏହି ରାଜ୍ୟ ହେଉଛି ବିହାର, ଝାରଖଣ୍ଡ, ଓଡିଶା, ଛତିଶଗଡ, ପଶ୍ଚିମ ବଙ୍ଗ । ବଙ୍ଗୋପ ସାଗର ତଟବର୍ତୀ ଏହି ୫ ରାଜ୍ୟରେ ଦେଶର ସର୍ବାଧିକ ବଜ୍ରପାତ ହୁଏ । ଏହି ପୂର୍ବତଟ ବଜ୍ରପାତର ସବୁଠାରୁ ଆକ୍ଟିଭ୍ ଏରିଆ । ବିଗତ ଦଶନ୍ଧି ମାନଙ୍କରୁ ବି ଏହିପରି ବଜ୍ରପାତ ହୋଇ ଆସୁଛି । କିନ୍ତୁ ଏବେ ବଜ୍ରପାତର ତୀବ୍ରତା ବା ଗମ୍ଭୀରତା ଅଧିକ ରହୁଛି । ଏପ୍ରିଲ ଓ ମେ ମାସରେ ପବନର ଗତି କାଳ ବୈଶାଖୀ ପାଇଁ ଅନୁକୂଳ ରହୁଥିବାରୁ ବଜ୍ରପାତ ଅଧିକ ହୋଇଥାଏ । ତେବେ ବଜ୍ରପାତ ରୋକିବା ପାଇଁ ବିଶ୍ୱର କୌଣସି ଦେଶ ଯନ୍ତ୍ର ଉଦଭାବନ କରି ପାରିନାହିଁ । ଆମେ କେବଳ ଘଡଘଡି ହେବ ବୋଲି ୨ ଘଣ୍ଟା ଆଗରୁ ଜାଣି ପାରିବ । ଆଉ ସଚେତନ ରହିଲେ ନିଜ ଜୀବନ ସହ ଅନ୍ୟର ଜୀବନ ବଂଚାଇ ପାରିବା । ସଚେତନା ହିଁ ସମାଧାନ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । କାରଣ ଶ୍ରମିକ, ଚାଷୀ କିମ୍ବା ଖୋଲା ଜାଗାରେ ରହୁଥିବା ଲୋକ ହିଁ ସର୍ବାଧିକ ଏହାର ଶିକାର ହୁଅନ୍ତି । ଯଦିଓ ଏପ୍ରିଲ ଓ ମେ ମାସରେ ଅଧିକ ବଜ୍ରପାତ ହୁଏ କିନ୍ତୁ ଅଗଷ୍ଟ ସେପଟେମ୍ବରରେ ଅଧିକ ନାଗରିକ ପ୍ରାଣ ହରାନ୍ତି । କାରଣ ବିଲରେ ସେତେବେଳେ ଧାନ ଚାଷ ଚାଲିଥାଏ । ଆଉ ୭୦ ପ୍ରତିଶତ ଲୋକ ଗଛ ମୂଳରେ ଆଶ୍ରୟ ନେଇ ପ୍ରାଣ ହରାନ୍ତି ।
କିପରି ନିଜକୁ ର କ୍ଷା କରି ପାରିବେ ବଜ୍ରପାତରୁ । ଏକ ନଂବର, ୩୦ ରୁଲ୍ ବା ଆପଣ ଏକରୁ ୩୦ ଯାଏଁ ଗଣନ୍ତୁ ଏହାରି ଭିତରେ ଯଦି ଘଡଘଡି ଆଖପାଖରେ ମାରିଲା, ତାହେଲେ ସେଠାରେ ରୁହନ୍ତୁ ନାହିଁ । ଦ୍ୱିତୀୟ ଆପଣ ଖୋଲା ପଡିଆରେ ଥିଲେ କୁକୁଡା ଭଳି ବସି ରୁହନ୍ତୁ । ଦୁଇ ଗୋଡ ମଝିରେ ଗୋଇଠି ସହାୟତାରେ କାନ ଧରି ଅଧା ବସିବା ଭଳି ନଇଁ ରୁହନ୍ତୁ । ଏହା ସହ ଗାଁ ବିଲ ଖୋଲାସ୍ଥାନ, ପଡିଆ ପାଖରେ ତାଳ ଗଛ ଲଗାନ୍ତୁ । ଏବେ ଗାଁ ମାନଙ୍କରେ ତାଳ ଗଛ ସଂଖ୍ୟା କମୁଥିବାରୁ ଅଧିକ ବଜ୍ରପାତ ହୋଇ କ୍ଷତି ଘଟାଉଛି । ସହରରେ ମୋବାଇଲ ଟାୱାର ରହୁଥିବାରୁ ଏହା ଆର୍ଥିଂ ଭାବେ କାମ କରୁଛି । ତୃତୀୟ କୌଣଶି ଝଙ୍କାନଳିଆ ଗଛ ତଳେ ଆଶ୍ରୟ ନିଅନ୍ତୁ ନାହିଁ । ଯେତେ ମାତ୍ରାରେ ସଚେତନ ରହିବା ଜୀବନ ସେତିକି ସୁରକ୍ଷିତ ରହିବ ।