ମହାରାଷ୍ଟ୍ର:ଗତ କିଛି ଦିନ ହେଲା ମହାରାଷ୍ଟ୍ର ରାଜନୀତିରେ ହାଇ ଭୋଲଟେଜ ଡ୍ରାମା ଚାଲିଥିବା ଦେଖିବାକୁ ମିଳୁଛି । ବୁଧବାର ବିଳମ୍ବିତ ରାତିରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଓ ବିଧାନ ପରିଷଦର ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ମହାରାଷ୍ଟ୍ରରେ ନୂଆ ସରକାର ଗଠନ ହେବା ନେଇ ଜୋରସୋରରେ ପ୍ରସ୍ତୁତି ଚାଲିଛି। ବିଜେପି ଏବଂ ଏକନାଥ ସିନ୍ଦେଙ୍କ ଦଳ ରାଜ୍ୟରେ ସରକାର ଗଠନ କରିବା ନେଇ ଏକ ପ୍ରକାର ନିଶ୍ଚିତ ହୋଇଛି। ଏହାରି ଭିତରେ ବଲିଉଡ ପଙ୍ଗା କୁଇନ୍ କଙ୍ଗନା ରଣାୱତ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି।ଉଦ୍ଧବଙ୍କ ଇସ୍ତଫା ପରେ ତାଙ୍କ ଉପରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଭିଶାପ ପଡ଼ିଥିବା କହିଛନ୍ତି ଲୋକେ। ୨୦୨୦ରେ କଙ୍ଗନାଙ୍କ ମୁମ୍ବାଇସ୍ଥିତ ଅଫିସକୁ ବିଏମସି ବେଆଇନ ବୋଲି କହି ଭାଙ୍ଗିଦେଇଥିଲା। ଏଭଳି ଘଟଣା ପରେ କଙ୍ଗନା କହିଥିଲେ ଯେ, ଆଜି ମୋର ଘର ଭାଙ୍ଗିଛି, କାଲି ଆପଣଙ୍କ ଗର୍ବ ଭାଙ୍ଗିବ।

କଙ୍ଗନାଙ୍କ ଏହି କଥା ଏବେ ସତ ହୋଇଥିବା କଥା ଲୋକେ କହିବା ସହ ଉଦ୍ଧବଙ୍କ ଗର୍ବ ଭାଙ୍ଗିଯାଇଥିବା କହିଛନ୍ତି। ସେହିପରି କଙ୍ଗନା ନିଜ ଇନ୍ସଟାଗ୍ରାମରେ ଏକ ଭିଡିଓ ବାର୍ତ୍ତା ଶେୟାର କରିଛନ୍ତି। ଏଥିରେ ସେ ଉଦ୍ଧବ ଠାକରେଙ୍କୁ ସିଧାସଳଖ ବାଣ ମାରିଛନ୍ତି। ସେ କହିଛନ୍ତି ‘ଗର୍ବ ଭାଙ୍ଗିଛି। ୧୯୭୫ ପରେ ଏହି ସମୟ ଭାରତର ଗଣତନ୍ତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। ୨୦୨୦ରେ ମୁଁ କହିଥିଲି ଗଣତନ୍ତ୍ର ହେଉଛି ଏକ ବିଶ୍ୱାସ ଏବଂ ଯିଏ କ୍ଷମତାର ଗର୍ବରେ ଏହି ବିଶ୍ୱାସକୁ ଭାଙ୍ଗେ, ତାଙ୍କର ଗର୍ବ ମଧ୍ୟ ଭାଙ୍ଗିଯିବ ନିଶ୍ଚିତ। ଏହା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିର ଶକ୍ତି ନୁହେଁ। ଏହା ହେଉଛି ସଚ୍ଚୋଟ ଚରିତ୍ରର ଶକ୍ତି।’କଙ୍ଗନା ଏତିକିରେ ଅଟକି ନାହାନ୍ତି। ସେ ଆହୁରି କହିଛନ୍ତି, ‘ହନୁମାନଙ୍କୁ ଶିବଙ୍କ ୧୨ତମ ଅବତାର ବୋଲି ବିଶ୍ୱାସ କରାଯାଏ। ଏବେ ଶିବସେନା ହନୁମାନ ଚାଳିଶାକୁ ବ୍ୟାନ୍ କରିବା ପରେ ଶିବ ମଧ୍ୟ ତାଙ୍କୁ ବଞ୍ଚାଇ ପାରିବେ ନାହିଁ। ହର ହର ମହାଦେବ, ଜୟ ହିନ୍ଦ, ଜୟ ମହାରାଷ୍ଟ୍ର।’ଏହି ଭିଡିଓକୁ ଶେୟାର କରି କଙ୍ଗନା କ୍ୟାପସନରେ ଲେଖିଛନ୍ତି, ‘ଯେତେବେଳେ ପାପ ବଢ଼ିଯାଏ, ସେତେବେଳେ ବିନାଶ ହୁଏ। ଏହାପରେ ସୃଜନ ହୁଏ ଏବଂ ଜୀବନର ନୂଆ ପଦ୍ମଫୁଟେ।’ କଙ୍ଗନାଙ୍କ ଏହି ଭିଡିଓ ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି।