ୱାଶିଂଟନ : ଯୁକ୍ତରାଷ୍ଟ୍ର ଆମେରିକାରେ ଗୁଳିମାଡ଼ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ଦିନରେ ସ୍କୁଲ ଓ ହସ୍ପିଟାଲ ପରେ ଏବେ ଚର୍ଚ୍ଚ ଓ କବରଖାନାରେ ଗୁଳିମାଡ଼ ହୋଇଛି । ଗତ ଗୁରୁବାର ଆମେରିକାର ଲୋୱାସ୍ଥିତ କର୍ଣ୍ଣରଷ୍ଟୋନ ଚର୍ଚ୍ଚରେ ଉପାସନା ଚାଲିଥିବା ବେଳେ ଜଣେ ବନ୍ଧୁକଧାରୀ ପ୍ରବେଶ କରି ଆଖିବୁଜା ଗୁଳି ଚଳାଇଥିଲେ । ଏହି ଘଟଣାରେ ୨ଜଣ ଉପାସକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ଜଣ ଗୁରୁତର ଆହତ ହୋଇଥିବା ନେଇ ଷ୍ଟୋରୀ କାଉଣ୍ଟି ସେରିଫ କ୍ୟାପ୍ଟେନ ନିକୋଲାସ ଲେନ୍ନି କହିଛନ୍ତି । ସେହିପରି ଅନ୍ୟଏକ ଘଟଣା ଘଟିଛି ଗ୍ରେସଲାଣ୍ଡରେ । ସ୍ଥାନୀୟ ସମୟ ସାଢ଼େ ୨ଟାରେ ଗ୍ରେସଲାଣ୍ଡର ଏକ କବରଖାନାରେ ଜଣେ ବ୍ୟକ୍ତିଙ୍କୁ କବର ଦିଆଯାଉଥିବା ବେଳେ ଜଣେ ବନ୍ଧୁକଧାରୀ ଅଚାନକ ଗୁଳିମାଡ଼ କରି ଫେରାର ହୋଇଯାଇଥିଲା ।
ଏଥିରେ ୫ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନ କରିବା ସହ ଆହତଙ୍କୁ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, ଗତ ବୁଧବାର ତୁଲସା ମେଡିକାଲରେ ଜଣେ ବନ୍ଧୁକଧାରୀ ପ୍ରବେଶ କରି ଗୁଳି ଚଳାଇଥିଲା । ଏଥିରେ ଜଣେ ଡାକ୍ତରଙ୍କ ସମେତ ୪ଜଣଙ୍କ ମୃତ୍ୟୁ ହୋଇଥିଲା । ଏଥିପୂର୍ବରୁ ଟେକ୍ସାସରେ ଥିବା ଏକ ସ୍କୁଲରେ ହୋଇଥିବା ଗୁଳିମାଡ଼ରେ ୨୧ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇ ଚର୍ଚ୍ଚାର ବିଷୟ ହୋଇଥିଲା । ଫଳରେ ଆମେରିକାରେ ଗତ କିଛି ଦିନ ମଧ୍ୟରେ ଗୁଳିକାଣ୍ଡ ଦେଖିବାକୁ ମିଳିଛି । ଫଳରେ ଏହାର ପ୍ରତିକାର କରିବାକୁ ହ୍ୱାଇଟ ହାଉସ ପକ୍ଷରୁ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି ।