ଏପ୍ରିଲ ୨୯ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା, ଜାଣନ୍ତୁ ପରୀକ୍ଷା ପରିଚାଳନା ଏବଂ ମୂଲ୍ୟାୟନ ପଦ୍ଧତି …

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଥିବା ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଶିକ୍ଷା ବିଭାଗର ବଡ ଘୋଷଣା । ଚଳିତବର୍ଷ ଅଫଲାଇନରେ ହେବ ମାଟ୍ରିକ ପରୀକ୍ଷା । ଏନେଇ ସୂଚନା ପ୍ରଦାନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଘୋଷଣା କରାଯାଇଥିବା ତାରିଖ ଅନୁଯାୟୀ ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ’ ୬ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା ।

ଚଳିତ ବର୍ଷ ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା-୨ କରାଯିବ । ତେବେ ଏହି ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା-୨ ସବୁ ପିଲାଙ୍କ ନିମନ୍ତେ ବାଧ୍ୟତାମୂଳକ କରାଯାଇଛି । ସେହିଭଳି କରୋନା ଏବଂ ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଯଥାସମ୍ଭବ ପରୀକ୍ଷା ନିଜ ସ୍କୁଲରେ ହେବା ନେଇ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ତେବେ ଛାତ୍ରଛାତ୍ରୀଙ୍କ ନିଜ ସ୍କୁଲରେ ବ୍ୟବସ୍ଥା ନହୋଇ ପାରିଲେ ପାଖ ସ୍କୁଲରେ ପରୀକ୍ଷା ବ୍ୟବସ୍ଥା କରାଯିବାକୁ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ସଠିକ ଭାବରେ ପରୀକ୍ଷା ପରିଚାଳନା ନିମନ୍ତେ ଅନ୍ୟ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ନିୟୋଜିତ କରାଯିବ ।

ସୂଚନା ଅନୁଯାୟୀ, ୩ଟି ପଦ୍ଧତିରେ ମାଧ୍ୟମିକ ଶିକ୍ଷା ପରିଷଦ ଫଳାଫଳ ନିର୍ଦ୍ଧାରଣ କରିବେ। ପ୍ରଥମ ପଦ୍ଧତି ହେଉଛି ସମ୍ମେଟିଭ୍‌-୧ ଓ ଇଣ୍ଟରନାଲ୍‌ ଆସେସମେଣ୍ଟର ୨ ଗୁଣ ଏବଂ ଦ୍ୱିତୀୟ ପଦ୍ଧତି ହେଉଛି ସମ୍ମେଟିଭ୍‌-୨ର ମାର୍କକୁ ୨ ଗୁଣ କରି ହିସାବ କରାଯିବ। ସେହିଭଳି ତୃତୀୟ ପଦ୍ଧତିରେ ସମ୍ମେଟିଭ-୧ରୁ ୩୦%, ସମ୍ମେଟିଭ-୨ରୁ ୫୦% ଓ ଇଣ୍ଟରନାଲ୍‌ ଆସେସମେଣ୍ଟର ୨୦% ନିଆଯାଇ ମାର୍କିଂ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।ତେବେ ଯେଉଁ ପଦ୍ଧତିରେ ଛାତ୍ରଛାତ୍ରୀ ସର୍ବାଧିକ ନମ୍ବର ରଖିବେ, ସେହି ପଦ୍ଧତିକୁ ଚୂଡ଼ାନ୍ତ କରିଯିବା ନେଇ ସୂଚନା ମିଳିଛି ।

ଅନ୍ୟପକ୍ଷେ କିଛିଦିନର ବ୍ୟବଧାନ ପରେ ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷା ନିମନ୍ତେ ଉତ୍ସାହ ପ୍ରକାଶ କରିଛନ୍ତି । ରାଜ୍ୟରେ କୋଭିଡ ସଂକ୍ରମଣ କ୍ରମଶଃ କମିଥିବା ସମୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ଫଳରେ ସ୍କୁଲ ବାରଣ୍ଡା ମାଡ଼ି ପାରିନଥିବା ଛାତ୍ରଛାତ୍ରୀ ଆଗ୍ରହର ସହ ସ୍କୁଲ ଯିବା ସହିତ ପରୀକ୍ଷା ନିମନ୍ତେ ନିଜକୁ ଦୃଢ ଭାବରେ ପ୍ରସ୍ତୁତ କରିଛନ୍ତି । ବର୍ତ୍ତମାନ କୋଭିଡର ତୃତୀୟ ଲହର ଶେଷ ହୋଇଥିବା ସମୟରେ ମାଟ୍ରିକ ପରୀକ୍ଷା ନିମନ୍ତେ ତାରିଖ ଘୋଷଣା ହେବା ପରେ ସ୍କୁଲ କତ୍ତୃପକ୍ଷ ପିଲାଙ୍କ ସ୍ୱାସ୍ଥ୍ୟକୁ ପ୍ରାଧ୍ୟାନ୍ୟ ଦେଇଛନ୍ତି । ସେହିଭଳି ଚଳିତ ବର୍ଷର ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ପରୀକ୍ଷା ମଧ୍ୟ ଏପ୍ରିଲ ୨୯ ତାରିଖରୁ ଆରମ୍ଭ ହେବ। ଏପ୍ରିଲ ୨୯ରୁ ମେ’ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା।