ମହିଳାଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି: ମହିଳାଙ୍କ ମୃତଦେହ ଉଦ୍ଧାର । ବଲାଙ୍ଗୀର ଜିଲ୍ଲା ସିନ୍ଦେକେଲା ଥାନା ଅନ୍ତର୍ଗତ ଭୁର୍ଷାଗୁଡ଼ା ଗାଁର ଜଣେ ବିବାହିତ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ନନ୍ଦିନୀ ପାଣିଗ୍ରାହୀ । ନନ୍ଦିନୀଙ୍କ ବାପ ଘର ଲୋକ ତାଙ୍କ ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି । ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ସ୍ୱାମୀ କୁଦଣ୍ଡ ଯୋଶୀଙ୍କୁ ଅଟକ ରଖିଛି । ଘଟଣାସ୍ଥଳରେ ଟିଟିଲାଗଡ଼ ଏସ୍ଡିପିଓ, ବଲାଙ୍ଗୀରରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନ୍ ଜାରି ରଖିଛି । ୨୦୧୨ ରେ ସଇଁତଲା ଥାନା ଖାସବାହାଲ ଗାଁର ନନ୍ଦିନୀ ପାଣିଗ୍ରାହୀଙ୍କ ହିନ୍ଦୁ ରୀତିନୀତି ପରମ୍ପରା ଅନୁଯାୟୀ ଭୁର୍ଷାଗୁଡା ଗାଁର କୁଦଣ୍ଡ ଯୋଶୀ ବିବାହ କରିଥିଲେ । ଅନେକ ସମୟରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ଲାଗି ରହିଥିଲା । ଏମିତିକି ନନ୍ଦିନୀକୁ କୁଦଣ୍ଡ ମରଣାନ୍ତକ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏନେଇ ନନ୍ଦୀନିଙ୍କ ପରିବାର ସଇଁତଲା ଥାନାରେ ଅଭିଯୋଗ କରିଥିଲେ । ପରେ ଦୁଇ ପରିବାର ଆପୋଷ ବୁଝାମୁଣା ହୋଇଥିଲା । କିଛି ଦିନ ହେବ ନନ୍ଦିନୀ ତାଙ୍କ ବାପ ଘରେ ଥିବା ବେଳେ ସ୍ୱାମୀ ତାଙ୍କ ଘରକୁ ନେଇ ଆଣିଥିଲେ । ତେବେ ସୋମବାର ବିଳମ୍ବିତ ରାତିରେ ଶାଢୀରେ ଏକ ଘରେ ଝୁଲୁଥିବା ବେଳେ ଘର କବାଟ ସବୁ ଖୋଲା ରହିଥିଲା । ନନ୍ଦିନୀକୁ ହତ୍ୟା କରାଯାଇଛି ଏବଂ ଏହି ହତ୍ୟାରେ ସମ୍ପୃକ୍ତଙ୍କୁ କଠୋର ସଜା ଦେବାକୁ ପରିବାର ଲୋକ ଦାବି କରିଛନ୍ତି ।