କର୍କଟ ରୋଗୀଙ୍କ ଇଞ୍ଜେକସନରେ ଔଷଧ ବଦଳରେ ପାଣି…

ଇଞ୍ଜେକସନରେ ଔଷଧ ବଦଳରେ ମିଶୁଛି ପାଣି। ସେ ପୁଣି କର୍କଟ ରୋଗୀଙ୍କ  ଇଞ୍ଜେକସନରେ।  କ୍ରାଇମବ୍ରାଞ୍ଚର ଯାଞ୍ଚରୁ ସାମନାକୁ ଆସିଛି କଳାବଜାରୀର ଘୃଣ୍ୟ  ରୂପ। ଦିଲ୍ଲୀର ବଜାରରେ ମିଳୁଥିବା କର୍କଟ ରୋଗର ଇଞ୍ଜେକ୍ସନ୍, ଏବାଲୁମେବରେ ଔଷଧ ବଦଳରେ ଭରିରହିଛି ପାଣି । ୭ଟି ରାଜ୍ୟରେ ବ୍ୟାପି ରହିଥିବା ଏହି  ଗ୍ୟାଙ୍ଗ ନକଲି ଔଷଧ ବିକିବା ସହ ସରକାରୀ ଡାକ୍ତରଖାନାରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଥିବା ଔଷଧରେ ମଧ୍ୟ ହେରଫେର କରାଯାଉଥିବା ପୁଲିସ କହିଛି ।

ପୋଲିସର ସୂଚନା ଅନୁସାରେ, ଡାକ୍ତରଖାନାରେ ସହଜରେ ଉପଲବ୍ଧ ହେଉନଥିବା କର୍କଟ ରୋଗର ଔଷଧର, ଏବାଲୁମେବ ଇନଜେକ୍ସନ୍ ଲୋକ ପ୍ରାୟ ଏକ ଲକ୍ଷ ଟଙ୍କା ଦେଇ ବ୍ଲାକ ମାର୍କେଟରୁ କିଣୁଥାନ୍ତି, ଯେଉଁଥିରଆ ଏବେ ମିଶୁଛି  ପାଣି। ଜର୍ମାନୀର ମର୍କ୍ ଲ୍ୟାବ୍ରେ କରାଯାଇଥିବା ପରୀକ୍ଷଣରୁ ଜଣାପଡ଼ିଥିଲା ଯେ, ପାଣି ମିଶିବା ଯୋଗୁ କର୍କଟ ରୋଗ ସହ ଲଢ଼ୁଥିବା ସକ୍ରିୟ ଉପାଦାନର ମାତ୍ରା ଏଥିରେ ଶୂନ୍ୟ ଥିଲା ।

୨୦ ଅଗଷ୍ଟରେ କ୍ରାଇମବ୍ରାଞ୍ଚ ୭ଟି ରାଜ୍ୟରେ ବ୍ୟାପିଥିବା ପ୍ରାୟ ୯ କୋଟି ଟଙ୍କାର ଏହି ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି।  ଏହି ମାମଲାରେ ୧୭ ଜଣ ଲୋକଙ୍କୁ ଗିରଫ କରାଯାଇଛି । ପୋଲିସ୍ ୫୮୮ଟି ଭର୍ତ୍ତି ଥିବା ଆଣ୍ଟି-କ୍ୟାନସର୍ ଭାଏଲ୍, ୬ଟି ଖାଲି ଭାଏଲ୍, ୭ଟି ଖାଲି ଔଷଧ ବାକ୍ସ, ,୦୨୧ ୟୁନିଟ୍ ଅନ୍ୟାନ୍ୟ ଔଷଧ ଏବଂ ପ୍ରାୟ ୫୦ ଲକ୍ଷ ଟଙ୍କା ନଗଦ ଜବତ କରିଛି। ଏଥିରେ ଡାରଜାଲେକ୍ସ, ଇମ୍ଫିଞ୍ଜି, ଏର୍ବିଟକ୍ସ, ଓପଡାଟା, ଗାଜିଭା, ବାଭେନ୍ସିଓ, ଆଡସେଟ୍ରିସ୍ ତଥା କିଟ୍ରୁଡା ଭଳି ମୂଲ୍ୟବାନ କର୍କଟ ଔଷଧ ମଧ୍ୟ ସାମିଲ ରହିଛି ।ଏହି ଗ୍ୟାଙ୍ଗର ନେଟୱାର୍କ ଦିଲ୍ଲୀ-ଏନସିଆର, ମୁମ୍ୱାଇ, ହାଇଦ୍ରାବାଦ, ହରିଆଣା, ଉତ୍ତରପ୍ରଦେଶ ତଥା ଅନ୍ୟ ଅଞ୍ଚଳରେ ମଧ୍ୟ ବ୍ୟାପିଛି ।

 ପୋଲିସର କହିବା ଅନୁଯାୟୀ, ଔଷଧଗୁଡ଼ିକ ତିନୋଟି ଉପାୟରେ ସିଣ୍ଡିକେଟ୍ ପାଖରେ ପହଞ୍ଚୁଥିଲା । ପ୍ରଥମତଃ, ଅବୈଧ ଉତ୍ସରୁ ସଂଗ୍ରହ କରାଯାଇଥିବା ନକଲି ଔଷଧ, ଦ୍ୱିତୀୟତଃ ସରକାରୀ ଡାକ୍ତରଖାନାରେ କର୍କଟ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଔଷଧର ଅନ୍ୟତ୍ର ସ୍ଥାନାନ୍ତର, ଏବଂ ତୃତୀୟତଃ ସରକାରୀ ପ୍ରତିଷ୍ଠାନ ଏବଂ ଗୋଦାମରୁ ସରକାରୀ ଯୋଗାଣକାରୀ ଔଷଧ ଚୋରି କରାଯାଉଥିଲା । ଏହି ଔଷଧଗୁଡ଼ିକୁ ବୈଧ ବିଲ୍, କ୍ରୟ ରେକର୍ଡ, ଔଷଧ ଲାଇସେନ୍ସ କିମ୍ବା ଆବଶ୍ୟକୀୟ ଡକ୍ୟୁମେଣ୍ଟେସନ୍ ବିନା ଘର ଏବଂ ଅନ୍ୟାନ୍ୟ ସ୍ଥାନରେ ସଂରକ୍ଷଣ କରାଯାଇଥିବା ଅଭିଯୋଗ ହୋଇଛି। ପରବର୍ତ୍ତୀ ସମୟରେ, ମଧ୍ୟସ୍ଥିଙ୍କ ମାଧ୍ୟମରେ ସେଗୁଡ଼ିକୁ ଆଗକୁ ବଣ୍ଟନ କରାଯାଉଥିଲା ।