ରକ୍ଷା ବନ୍ଧନ ଅବସରରେ ମହିଳା ମାନଙ୍କ ପାଇଁ ଆମ ବସ୍‌ରେ ମାଗଣା ଯାତ୍ରା

ରକ୍ଷା ବନ୍ଧନ ଅବସରରେ ମହିଳା ଯାତ୍ରୀମାନଙ୍କ ପାଇଁ ଦେୟମୁକ୍ତ ସେବା ଯୋଗାଇ ଦେବ ଆମ ବସ୍ । ଅଗଷ୍ଟ ୨୭ ତାରିଖ ରକ୍ଷା ବନ୍ଧନ ଅବସରରେ ଓଡ଼ିଶାର ପ୍ରମୁଖ ସହରଗୁଡ଼ିକରେ ମହିଳା ମାନେ ସମସ୍ତ AMA ବସ୍ ରେ ମାଗଣା ଯାତ୍ରା କରିପାରିବେ ବୋଲି CRUT ପକ୍ଷରୁ ସୂଚନା ଦିଆଯାଇଛି ।

ମହିଳାମାନଙ୍କ ପାଇଁ ସୁରକ୍ଷିତ, ସୁବିଧାଜନକ ଏବଂ ସୁଲଭ ଗତିଶୀଳତାକୁ ପ୍ରୋତ୍ସାହିତ କରିବା ସହିତ ଏହି ଉତ୍ସବ ପାଳନ କରିବା ପାଇଁ CRUT ପକ୍ଷରୁ ଏହି ବିଶେଷ ପଦକ୍ଷେପ ନିଆଯାଇଛି। ଏହି ବ୍ୟବସ୍ଥା ଅନୁଯାୟୀ, ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଏବଂ କେନ୍ଦୁଝରରେ AMA ବସ୍ ସେବାରେ ଯାତ୍ରା କରିବା ସମୟରେ ମହିଳା ଯାତ୍ରୀମାନଙ୍କୁ ଭଡ଼ା ଦେବାକୁ ପଡ଼ିବ ନାହିଁ।

ଆମ ବସ୍‌ରେ ଯାତ୍ରା କରି ମହିଳାମାନେ ନିଜର ସାମାଜିକ, ଆର୍ଥିକ ଓ ପାରିବାରିକ କାର୍ଯ୍ୟରେ ଅଧିକ ସୁବିଧାରେ ଯୋଗଦେଇପାରିବେ ବୋଲି କ୍ରୁଟ୍‌ ଆଶା ରଖିଛି । ତେବେ ମାଗଣା ଯାତ୍ରା କରିବା ସତ୍ତ୍ୱେ ପ୍ରତ୍ୟେକ ମହିଳା ଯାତ୍ରୀଙ୍କୁ ‘ଜିରୋ ଟିକେଟ୍‌’ ନେବା ବାଧ୍ୟତାମୂଳକ। ଟିକେଟ୍‌ ନେଇ ହିଁ ଯାତ୍ରା କରିବାକୁ କ୍ରୁଟ୍‌ ପକ୍ଷରୁ ଅନୁରୋଧ କରାଯାଇଛି । ଜିପିଏସ୍‌ ଆଧାରିତ ବସ୍‌ ଟ୍ରାକିଂ, ସିସିଟିଭି ନିରୀକ୍ଷଣ, ପ୍ରଶିକ୍ଷିତ ବସ୍‌ କର୍ମଚାରୀ ଓ ଯାତ୍ରୀ ସହାୟତା ବ୍ୟବସ୍ଥା ଭଳି ପଦକ୍ଷେପ ମାଧ୍ୟମରେ ଆମ ବସ୍‌କୁ ନିରାପଦ ଓ ନିର୍ଭରଯୋଗ୍ୟ ଜନପରିବହନ ବ୍ୟବସ୍ଥା ଭାବେ ଗଢ଼ି ତୋଳିବାକୁ କ୍ରୁଟ୍‌ ଉଦ୍ୟମ କରୁଛି ।