ଆସୁଛି ଆଉ ଏକ ବାତ୍ୟା ‘ବୁରେବି’

ଭୁୁବନେଶ୍ୱର / ସଞ୍ଜୁ – ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ବୁରେବି’ଆସନ୍ତା ୨ ଦିନ ମଧ୍ୟରେ ତାମିଲନାଡୁ ଉପକୂଳରେ ସ୍ଥଳଭାଗରେ ପ୍ରବେଶ କରିପାରେ ବୋଲି ଡିସେମ୍ବର ୧ ତାରିଖ ଦିନ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ଏହି ସାମୁଦ୍ରିକ ଘୂର୍ଣ୍ଣିିବାତ୍ୟାର ମାଳଦ୍ୱୀପ ନାମକରଣ କରାଯାଇଛି । ଆଜି ସନ୍ଧ୍ୟା କିମ୍ବା ରାତିରେ ସୁଦ୍ଧା ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ତ୍ରିଙ୍କୋମାଲୀ ପାଖ ଦେଇ ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି । ଏହା ଅତିକ୍ରମ କରିବା ପରେ ପବନର ବେଗ ଘଣ୍ଟାପ୍ରତି ୭୫ ରୁ ୮୫ କିମି ରହିପାରେ । ଏହାପରେ ‘ବୁରେବି’ ପଶ୍ଚିମ ପ୍ରାନ୍ତକୁ ଗତିକରି ଡିସେମ୍ବର ୩ ତାରିଖ ସକାଳେ ମାନ୍ନର ଉପସାଗର ଏବଂ ତତ୍ସଂଲଗ୍ନ କମୋରିନ୍ ଅଞ୍ଚଳରେ ପହଞ୍ଚିବ। ସେଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମ ଆଡ଼କୁ ଗତିକରିବା ପରେ ଡିସେମ୍ବର ୪ ତାରିଖ ପ୍ରତ୍ୟୁଷରେ କନ୍ୟାକୁମାରୀ ଏବଂ ପାମ୍ବନ ମଧ୍ୟ ଦେଇ ତାମିଲନାଡୁ ଉପକୂଳ ଅତିକ୍ରମ କରିବ। କିନ୍ତୁ, ‘ବୁରେବି’ ‘ନିଭାର’ ଭଳି ଉଗ୍ର ହେବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଆଜି ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ବୁରେବି’ ପ୍ରଭାବରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ଅଞ୍ଚଳ ଗୁଡିକ ହେଲା ତାମିଲନାଡୁ ର କନ୍ୟାକୁମାରୀ , ତିରୁନେଲବେଲି, ତୁତୁକୁଣ୍ଡି , ତେନକାସି , ରାମନାଥପୁରମ୍ ଏବଂ ଶିବଗଙ୍ଗାଇ ଇତ୍ୟାଦି ।