ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପସ୍ୱରୂପ, ଓଡ଼ିଶାର ମାନ୍ୟବର ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାରେ ଓଡ଼ିଶା ପୁଲିସ ପକ୍ଷରୁ କଟକସ୍ଥିତ ଆଇଜିପି, କେନ୍ଦ୍ରାଞ୍ଚଳଙ୍କ କାର୍ଯ୍ୟାଳୟରେ ଏକଦିନିଆ ‘ସଡ଼କ ସୁରକ୍ଷା ଓ ଦୁର୍ଘଟଣା ତଦନ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ ଆୟୋଜିତ ହୋଇଥିଲା। ଆଇଜିପି, କେନ୍ଦ୍ରାଞ୍ଚଳ ଡଃ ସତ୍ୟଜିତ ନାୟକଙ୍କ ତତ୍ତ୍ୱାବଧାନରେ ଏବଂ ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ସହ ସମନ୍ୱୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପୁଲିସ ଅଧିକାରୀଙ୍କ ସମେତ ସଡ଼କ ସୁରକ୍ଷା ସହ ସମ୍ପୃକ୍ତ ବିଭିନ୍ନ ଅଂଶୀଦାର ଯୋଗଦେଇଥିଲେ। ଏସ୍ଟିଏ, ଓଡ଼ିଶାର ବୈଷୟିକ ପରାମର୍ଶଦାତା ଭାବେ କାର୍ଯ୍ୟରତ ଆଇଆଇଟି ମାଡ୍ରାସର ବୈଷୟିକ ବିଶେଷଜ୍ଞମାନେ ଏଥିରେ ଯୋଗଦେଇ ବୈଜ୍ଞାନିକ ଢଙ୍ଗରେ ସଡ଼କ ଦୁର୍ଘଟଣା ତଦନ୍ତ ଓ ସଡ଼କ ସୁରକ୍ଷା ପରିଚାଳନା ସମ୍ପର୍କରେ ବିଶେଷ ବୈଷୟିକ ଜ୍ଞାନ ଏବଂ ବ୍ୟବହାରିକ ଅନୁଭୂତି ପ୍ରଦାନ କରିଥିଲେ।

ସଡ଼କ ସୁରକ୍ଷା ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ପ୍ରାଥମିକତା ହୋଇଥିବାବେଳେ, ଓଡ଼ିଶା ପୁଲିସ ଓ ରାଜ୍ୟ ପରିବହନ ପ୍ରାଧିକରଣ ପ୍ରତିରୋଧ, ଆଇନ ପ୍ରବର୍ତ୍ତନ, ତଦନ୍ତ, ତଥ୍ୟ ବିଶ୍ଳେଷଣ ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟକୁ ଅଧିକ ସୁଦୃଢ଼ କରିବା ଦିଗରେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଏସ୍ଟିଏ ପକ୍ଷରୁ ସଡ଼କ ସୁରକ୍ଷା କ୍ଷେତ୍ରରେ ତଥ୍ୟଭିତ୍ତିକ ଓ ପ୍ରଯୁକ୍ତିନିର୍ଭର ପଦ୍ଧତିକୁ ପ୍ରୋତ୍ସାହନ ଦେବା ପାଇଁ ସଡ଼କ ସୁରକ୍ଷା ତଥ୍ୟ ପରିଚାଳନାକୁ ସୁଦୃଢ଼ କରିବା, ରୋଡ୍ ସେଫ୍ଟି ଡ୍ୟାସ୍ବୋର୍ଡ ବିକଶିତ କରିବା, ସମ୍ପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ଏବଂ ଦୁର୍ଘଟଣା ପ୍ରତିରୋଧ ପାଇଁ ପ୍ରମାଣଭିତ୍ତିକ ପଦକ୍ଷେପ ଗ୍ରହଣ ଭଳି ଅନେକ ପଦକ୍ଷେପ ନିଆଯାଉଛି।

ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଯାପନୀ ସମାରୋହରେ ଶ୍ରୀ ଅମିତାଭ ଠାକୁର, ଆଇପିଏସ୍, ପରିବହନ କମିଶନର-ତଥା-ଅଧ୍ୟକ୍ଷ, ରାଜ୍ୟ ପରିବହନ ପ୍ରାଧିକରଣ, ଓଡ଼ିଶା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଶ୍ରୀ ଅମିତାଭ ଠାକୁର ବୈଜ୍ଞାନିକ ତଦନ୍ତ, ପ୍ରଯୁକ୍ତି ଏବଂ ସମନ୍ୱିତ ପଦକ୍ଷେପ ମାଧ୍ୟମରେ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ସେ ପ୍ରଶିକ୍ଷଣରୁ ହାସଲ କରିଥିବା ଜ୍ଞାନକୁ ନିଜର କ୍ଷେତ୍ରୀୟ ଦାୟିତ୍ୱରେ ପ୍ରୟୋଗ କରିବା ସହ ଓଡ଼ିଶାରେ ଏକ ସୁଦୃଢ଼ ସଡ଼କ ସୁରକ୍ଷା ବ୍ୟବସ୍ଥା ଗଠନରେ ଯୋଗଦାନ କରିବା ପାଇଁ ଅଂଶଗ୍ରହଣକାରୀ ଅଧିକାରୀମାନଙ୍କୁ ଆହ୍ୱାନ କରିଥିଲେ। ଏକଦିନିଆ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅଂଶଗ୍ରହଣକାରୀ ଅଧିକାରୀମାନଙ୍କୁ ବୈଜ୍ଞାନିକ ଦୁର୍ଘଟଣା ତଦନ୍ତ ସମ୍ପର୍କରେ ବ୍ୟବହାରିକ ଜ୍ଞାନ ଓ ବୈଷୟିକ ଅନ୍ତର୍ଦୃଷ୍ଟି ପ୍ରଦାନ କରିବା ସହ ଦୁର୍ଘଟଣା ତଦନ୍ତ, ତଥ୍ୟ ବିଶ୍ଳେଷଣ ଏବଂ ପ୍ରତିଷେଧମୂଳକ ସଡ଼କ ସୁରକ୍ଷା ପଦକ୍ଷେପ ମଧ୍ୟରେ ସମନ୍ୱୟର ଗୁରୁତ୍ୱକୁ ଆହୁରି ସୁଦୃଢ଼ କରିଥିଲା।