ଓଡିଶାରେ ଥମିବାର ନାଁ ନେଉନାହିଁ ବର୍ଷା । ଗୋଟିଏ ପରେ ଗୋଟିଏ ଲଘୁଚାପ ପ୍ରଭାବରେ ହଟହଟା ରାଜ୍ୟବାସୀ । ଜୁଲାଇ ଓ ଅଗଷ୍ଟ ମାସରେ ୭ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇସାରିଲାଣି । ଏବେ ପୁଣି ଅଗଷ୍ଟ ୨୯ ଓ ୩୦ ରେ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି । ଉତ୍ତର ପଶ୍ଚିମ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ବର୍ତ୍ତମାନ ବାତ୍ୟା ଋତୁ ସକ୍ରିୟ ହୋଇଛି । ଏହି ଅଞ୍ଚଳରୁ ଆରମ୍ଭ ହୋଇଥିବା ଘୂର୍ଣ୍ଣିବଳୟ ବଙ୍ଗୋପସାଗର ଅଞ୍ଚଳକୁ ପ୍ରବେଶ କରୁଛି । ଏପଟେ ସକ୍ରିୟ ଥିବା ମୌସୁମୀ ପ୍ରବାହ ଘୂର୍ଣ୍ଣିବଳୟଗୁଡିକୁ ଘନୀଭୂତ ହେବା ପାଇଁ ଅନୁକୂଳ ପରିବେଶ ଦେଉଛି । ଯାହା ଦ୍ୱାରା ତମାମ ଲଘୁଚାପ ସୃଷ୍ଟି ହେଉଛି ।
ଆଜି ସକାଳ ୫ଟା ୩୦ ସୁଦ୍ଧା ଲଘୁଚାପ କ୍ଷେତ୍ର ଉତ୍ତର ଉପକୂଳ ଓଡ଼ିଶା, ସଂଲଗ୍ନ ଗାଙ୍ଗୀୟ ପଶ୍ଚିମବଙ୍ଗ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ରହିଥିଲା । ବର୍ତ୍ତମାନ ଏହା ଗାଙ୍ଗୀୟ ପଶ୍ଚିମବଙ୍ଗ ସହ ସଂଲଗ୍ନ ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି । ଆଗାମୀ ୨୪ ଘଣ୍ଟାରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଗାଙ୍ଗୀୟ ପଶ୍ଚିମବଙ୍ଗ, ସଂଲଗ୍ନ ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି ।
ଆଜି ରାତି ପର୍ୟ୍ୟନ୍ତ ଲଘୁଚାପ କାରଣରୁ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିପାରେ । ଏଥିସହ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ମଧ୍ୟ ପାଗ ଅଶାନ୍ତ ହେବାର ଆଶଙ୍କା ରହିଛି । ବର୍ଷା ସହ ପବନର ବେଗ ମଧ୍ୟ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ରହିପାରେ । ବେେ ବେଳେ ୬୦ କିଲୋମିଟର ପର୍ୟ୍ୟନ୍ତ ଗତି ବଢ଼ିପାରେ । ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି । ଏଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।
ତେବେ ବର୍ଷାକୁ ନେଇ ଆସିଛି ବଡ଼ ତଥ୍ୟ । ସମଗ୍ର ଭାରତ ମଧ୍ୟରେ ଓଡ଼ିଶାରେ ସବୁଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ସୂଚନା ମିଳିଛି । ରାଜ୍ୟରେ ସ୍ୱାଭାବିକ ବର୍ଷା ତୁଳନାରେ ପ୍ରାୟ ୨୫ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି। ଏହା ସହ ନିକଟ ଭବିଷ୍ୟତରେ ମଧ୍ୟ ଅଧିକ ବର୍ଷା ହେବାର ଆଶଙ୍କା ରହିଛି ।