ହବିଷ୍ୟାଳିଙ୍କ ପାଇଁ ଆଶ୍ରୟସ୍ଥଳୀ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

(ରିପୋର୍ଟସ ଟୁଡ଼େ): ଆସନ୍ତା କାଲି ଠାରୁ ପବିତ୍ର କାର୍ତିକ ବ୍ରତ ଆରମ୍ଭ ହୋଇଯାଇଛି । ମାସକ ଯାକ ହବିଷ୍ୟାଳି ମାନେ ଏହି ବ୍ରତ କରି ରାଇ ଦମୋଦରଙ୍କ ଦର୍ଶନ କରିବେ । ଏନେଇ ପୁରୀରେ ବିଭିନ୍ନ ସ୍ଥାନରୁ ଆସିଥିବା ହବିଷ୍ୟାଳିଙ୍କ ଭିଡ଼ ଜମିଛି । ଏନେଇ ଶ୍ରୀ କ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି । ପୁରୀରେ ହବିଷ୍ୟାଳିଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଖୋଲା ଯାଇଥିବା ଆଶ୍ରୟସ୍ଥଳୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ସଂନ୍ଧ୍ୟାରେ ସଚିବାଳୟରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ କାର୍ଯ୍ୟକ୍ରମ ଊପଲକ୍ଷେ ରେଳବାଇ ଯାତ୍ରୀନିବାସ ଆଶ୍ରୟସ୍ଥଳୀରେ ଏକ ଭବ୍ୟ ସଭାର ଆୟୋଜନ କରାଯାଇଥିଲା । ଏହି ଅବସରରେ ସେଠରେ ଊପସ୍ଥିତ ହବିଷ୍ୟାଳିମାନେ ପୁରି ଆସି ଖୁସି ଅଛନ୍ତି ନାଁ ନାହିଁ ପଚାରି ବୁଝିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ କାର୍ତିକ ବ୍ରତ ଅବସରରେ ଆପଣମାନଙ୍କ ପାଇଁ ରାଜ୍ୟ ସରାକରଙ୍କ ପକ୍ଷରୁ ବିଭିନ୍ନ ସୁବିଧା କରାଯାଇଛି । ଏଠାରେ ଆପଣମାନଙ୍କ ପାଇଁ ରହଣି, ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ସେବନ ଆଦିର ସୁ ବନ୍ଦୋବସ୍ତ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆପଣମାନଙ୍କର ଯତ୍ନ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସଚିବାଳୟରେ ଭିଡ଼ିଓ କନ୍ଫରେନ୍ସିଂ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ । ଏନେଇ ପୁରୀରେ ଆୟୋଜିତ ମଞ୍ଚରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ , ଜଗତସିଂହପୁର ସାଂସଦ କୁଳମଣି ସାମଲ, ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମା, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିିର୍ମୟ ଦଳାଇ, ଜିଲ୍ଲାପାଳ ଜ୍ୟୋତି ପ୍ରାକାଶ ଦାସ, ଊପଜିଲ୍ଲାପାଳ ଭବତାରଣ ସାହୁ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଉଦ୍ଧବ ଚରଣ ମାଝି ପ୍ରମୂଖ କାର୍ଯ୍ୟକ୍ରମରେ ଊପସ୍ଥିତ ଥିଲେ ।

ରାଜ୍ୟର ୨୬୪୯ ଜଣ ହବିଷ୍ୟାଳି ନାମ ପଞ୍ଚୀକରଣ କରିଥିବା ବେଳେ ଗତକାଲି ସୁଦ୍ଧା ୨୩୦୦ ଆଶ୍ରୟସ୍ଥଳୀରେ ଆସି ରହିଛନ୍ତି । ରେଳବାଇ ଯାତ୍ରୀ ନିବାସ, ରେଳବାଇ କଲ୍ୟାଣ ମଣ୍ଡପରେ ଜଗନ୍ନାଥ ବଲ୍ଲଭ ବ୍ୟାଖ୍ୟାନ କେନ୍ଦ୍ର ଓ ପୌରସଂସ୍ଥା କଲ୍ୟାଣ ମଣ୍ଡପରେ ରହଣି ବ୍ୟବସ୍ଥା କରାଯାଇଛି ।