(ରିପୋର୍ଟସ ଟୁଡ଼େ) ଦୃଢ ଇଚ୍ଛା ଓ କଠିନ ପରିଶ୍ରମ ଦ୍ୱାରା ସବୁକିଛି ସମ୍ଭବ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ବେଙ୍ଗାଲୁରୁର ଜଣେ ବସ୍ କଣ୍ଡକ୍ଟର । ମଧୁ ଏନସି ନାମକ ୨୯ ବର୍ଷିୟ ଏହି କଣ୍ଡକ୍ଟର କେନ୍ଦ୍ରୀୟ ପ୍ରଶାସନିକ ସେବା ବା ଆଇଏଏସ ପାଇଁ ପ୍ରସ୍ତୁତି ଚଳାଇଥିଲେ । ପୂର୍ବରୁ ସେ ପ୍ରିଲିମିନାରିରେ ଉର୍ତ୍ତୀର୍ଣ୍ଣ ହୋଇଥିବା ବେଳେ ଏବେ ଏହାର ମେନ୍ ପରୀକ୍ଷାରେ ପାସ୍ କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଆଠ ଘଣ୍ଟା ଖଟିବା ପରେ ଦିନକୁ ମାତ୍ର ୫ ଘଣ୍ଟା ପାଠ ପଢି ସେ ଏହି ପରୀକ୍ଷାରେ କୃତିତ୍ୱ ହାସଲ କରିଛନ୍ତି । ଗତବର୍ଷ ଜୁନରେ ପ୍ରଶାସନିକ ପରୀକ୍ଷାର ପ୍ରଥମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଚଳିତମାସ ମଧୁ ମେନ ପରୀକ୍ଷା ପାସ କରିଛନ୍ତି । ଏଥିପାଇଁ ବେଙ୍ଗାଲୁରୁ ମେଟ୍ରୋପଲିଟାନ ପରିବହନରେ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିବା ସି. ଶିକ୍ଷା ତାଙ୍କୁ ପ୍ରେରଣା ଯୋଗାଇ ଆସିଥିବା ସେ ଗଣମାଧ୍ୟମକୁ କହିଛନ୍ତି । ତେବେ ଜଣେ ଆଇଏସ ଅଫିସର ଭାବେ ସେ ପ୍ରେରଣା ସହ ପଥ ପ୍ରଦର୍ଶକର ଭୁମିକା ନିଭାଇଥିବାରୁ ମଧୁ ତାଙ୍କୁ ନିଜର ଗୁରୁ ମାନିଛନ୍ତି । କର୍ଣ୍ଣାଟକର ମାଣ୍ଡ୍ୟା ଅନ୍ତର୍ଗତ ମାଲ୍ଲାବଲ୍ଳୀର ମୂଳ ବାସିନ୍ଦା ପରେ ସ୍ନାତକ ଓ ରାଜନୀତିରେ ସ୍ନାତକୋତ୍ତର ପାସ କରିଛନ୍ତି । ମଧୁ ତାଙ୍କ ପରିବାର ମଧ୍ୟରେ ସ୍କୁଲ ଯାଇଥିବା ପ୍ରଥମ ବ୍ୟକ୍ତି । ମାତ୍ର ୧୯ ବର୍ଷ ବୟସରେ ସେ କଣ୍ଡକ୍ଟର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପୂର୍ବରୁ ପ୍ରଶାସନିକ ସେବା ପାଇଁ ପରୀକ୍ଷାରେ ଅସଫଳ ହେବା ପରେ ଚଳିତଥର ସେ ତାଙ୍କ ଗୁରୁଙ୍କ ପ୍ରେରଣା ଓ ପଥପ୍ରଦର୍ଶନରେ ଏହି ପରୀକ୍ଷା ପାସ କରିଛନ୍ତି । ଯାହାର ଇଣ୍ଟରଭ୍ୟୁ ଚଳିତବର୍ଷ ମାର୍ଚ୍ଚ ୨୫ରେ ହେବାକୁ ଥିବା ବେଳେ ସେ ଏଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି ।