ପ୍ଲାଣ୍ଟ ତିଆରି ପରେ ଅଞ୍ଚଳବାସୀଙ୍କୁ ଭୁଲିଗଲା ସିମେଣ୍ଟ କମ୍ପାନୀ

(ଦୀପକ କୁମାର/ଧର୍ମଶାଳା): ରାମକୋ ସିମେଣ୍ଟ କମ୍ପାନୀର ପ୍ରତାରଣାକୁ ବିରୋଧ କରି ଯାଜପୁର ଜିଲ୍ଲା ଧର୍ମଶାଳାର ଥାନୁଆଳ ପଞ୍ଚାୟତରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ଲାଣ୍ଟ ଗଢା ହେବା ପୂର୍ବରୁ କର୍ତ୍ତୃପକ୍ଷ ଅଞ୍ଚଳବାସୀଙ୍କ ଠାରୁ ଏନଓସି ନେବା ବେଳେ ଦେଇଥିବା ପ୍ରତିଶୃତିଗୁଡିକ ଏବେ ରକ୍ଷା କରାଯାଇନଥିବା ଅଭିଯୋଗ ଆଣିଛନ୍ତି ଥାନୁଆଳ ସରପଞ୍ଚ । ପ୍ଲାଣ୍ଟ ତିଆରି ହେବା ପୂର୍ବରୁ କମ୍ପାନୀ କର୍ତ୍ତୃପକ୍ଷ ସ୍ଥାନୀୟ ଅଞ୍ଚଳର ବିକାଶ ଦିଗରେ ବିଭିନ୍ନ ଉନ୍ନୟନମୂଳକ କାମ ସବୁ କରିବେ ବୋଲି କହିଥିଲେ ବି ସେସବୁ କିଛି ହୋଇନାହିଁ । ବରଂ ନିଜର ଉତ୍ପାଦନ ବୃଦ୍ଧି ପାଇଁ କମ୍ପାନୀ ଏଠାରେ ବଡ ବଡ ବୋର ୱେଲ୍ ଖୋଳି ଭୂତଳ ଜଳର ବ୍ୟବହାର କରୁଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ପାଣିର ସମସ୍ୟା ଦେଖାଦେଇଛି । ପ୍ଲାଣ୍ଟ ତିଆରି ହେଲେ ବେକାର ଯୁବକ ଯୁବତୀଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦେବା ନେଇ କମ୍ପାନୀ ଦେଇଥିବା ପ୍ରତିଶୃତି ଏଯାଏ ପୂରଣ ହୋଇନି । ତୁରନ୍ତ କମ୍ପାନୀ କୌଣସି ପଦକ୍ଷେପ ନ ନିଏ ତେବେ ଅଞ୍ଚଳବାସୀ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।