ପାଇବେ ପେନସନ୍, ଗ୍ରାଚ୍ୟୁଟି

ଭୁବନେଶ୍ୱର: ଚିନ୍ତା କରୁଛନ୍ତି କି ? ଆଉ ଚିନ୍ତା କରନ୍ତୁ ନାହିଁ । ଆପଣ ପାଇ ପାଇବେ ପେନସନ୍ ଆଉ ଗ୍ରାଚ୍ୟୁଟି । କିନ୍ତୁ ଆପଣଙ୍କୁ ହାଇକୋର୍ଟ ଯିବାକୁ ପଡ଼ିବ । ଫାଇଟ୍ କରିବାକୁ ହେବ ରାଜ୍ୟ ସରକାରଙ୍କ ସହିତ । ଏଭଳି ମତ ପୋଷଣ କରିଛନ୍ତି ବରିଷ୍ଠ ଆଇନୀଜୀବୀମାନେ ।
ବାଧ୍ୟତା ମୂଳକ ଅବସର ଦିଆଯାଇଥିବା ୧୫୦ ପାଖାପାଖି ସରକାରୀ ବାବୁମାନେ ଏବେ ଚିନ୍ତାରେ । ବର୍ଷ ବର୍ଷ ଧରି ଖଟିବା ପରେ ସେମାନଙ୍କୁ ପେନସନ୍ ଓ ଗ୍ରାଚ୍ୟୁଟି ମିଳିବା ନେଇ ଦ୍ୱନ୍ଦରେ ମଧ୍ୟ ଅଛନ୍ତି । ତେବେ ରାଜ୍ୟ ସରକାର ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକରି ସମ୍ବିଧାନର ୩୧୧ ଓ ଓଡିଶା ସିଭିଲ ସର୍ଭିସେସ୍ କ୍ଲାସିଫିକେସନ କଣ୍ଟ୍ରୋଲ ଆଣ୍ଡ ଆପିଲ ରୁଲ୍ସର ୧୮ ଧାରାରେ ଦୁର୍ନୀତିରେ ଛନ୍ଦି ହେଉଥିବା କିଛି କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।
ଆଇନ୍ଗତ ବ୍ୟବସ୍ଥାନୁଯାୟୀ ସରକାରୀ ଚାକିରିରୁ ଯେଉଁମାନଙ୍କୁ ବିଦା କରାଯାଏ ସେମାନେ ପେନସନ ଆଦି ପାଇ ପାରିବେ ନାହିଁ । କିନ୍ତୁ ସ୍ୱେଚ୍ଛାକୃତ ଅବସର ଓ ବାଧ୍ୟତାମୂଳକ ଅବସର କ୍ଷେତ୍ରରେ ସମ୍ପୃକ୍ତ କର୍ମଚାରୀଙ୍କ ଚାକିରିକାଳ ହିସାବ ଆଧାରରେ ତାଙ୍କୁ ପେନ୍ସନ ଗ୍ରାଚ୍ୟୁଟି ସମେତ ଅନ୍ୟାନ୍ୟ ସରକାରୀ ସୁବିଧା ଦେବାର ବ୍ୟବସ୍ଥା ଅଛି, ଏମିତିକି ସ୍ୱେଚ୍ଛାକୃତ ଅବସର ଓ ବାଧ୍ୟତାମୂଳକ ଅବସର ପାଉଥିବା କର୍ମଚାରୀ ମଧ୍ୟ ପରବର୍ତ୍ତୀ ସମୟରେ ଅନ୍ୟ ଚାକିରି ପାଇବା କ୍ଷେତ୍ରରେ ପ୍ରତିବନ୍ଧକ ନାହିଁ । କିନ୍ତୁ ଏଥିପାଇଁ ଆପଣଙ୍କୁ ହାଇକୋର୍ଟ ଯିବାକୁ ପଡ଼ିବ । ହାଇକୋର୍ଟ ନିର୍ଦେଶ ଦେଲା ପରେ ହିଁ ଆପଣଙ୍କ ସମସ୍ୟାର ସମାଧାନ ହୋଇ ପାରିବ ।ବହୁ କ୍ଷେତ୍ରରେ ବିନା ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନରେ ଚାକିରିରୁ ବିଦା ହେଉଥିବା କର୍ମଚାରୀମାନେ ଆଇନ୍ ଅଦାଲତରେ ସେମାନଙ୍କ ବହିଷ୍କାର ଆଦେଶ ବିରୁଦ୍ଧରେ ମାମଲା ରୁଜୁ କରି ପୁଣି ଚାକିରିକୁ ଫେରୁଛନ୍ତି । ଏଭଳି ନଜୀର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅନେକ ରହିଛି । ଏହି ଭିତ୍ତିଭୂମିରେ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ପ୍ରାମାଣିକ ତଥ୍ୟ ଆଧାରରେ ଚାକିରିରୁ ବହିଷ୍କାର କରାଗଲେ ସେମାନେ ଅବଶିଷ୍ଟ ଜୀବନକାଳ ପର୍ୟ୍ୟନ୍ତ ପେନସନ ଓ ଅନ୍ୟାନ୍ୟ ସୁବିଧା ପାଆନ୍ତେ ନାହିଁ ଏବଂ ଏଥିଯୋଗୁଁ ଦୁର୍ନୀତିଗ୍ରସ୍ତଙ୍କ ମନରେ ଅଧିକ ଭୟ ରୁହନ୍ତା ।
ସୂଚନା ଥାଉକି ଜାତୀୟ ହାରଠାରୁ ଓଡିଶାରେ ଦୁର୍ନୀତି ମାମଲାରେ ଦଣ୍ଡବିଧାନ ହାର ଅବଶ୍ୟ ଅଧିକ ରହୁଛି । ତେବେ ଗତବର୍ଷର ହିସାବ ଅନୁଯାୟୀ ଓଡିଶାରେ ବିଚାର ପ୍ରତୀକ୍ଷାରେ ପାଖାପାଖି ୨୩ହଜାର ଆର୍ଥିକ ଅପରାଧ ମାମଲା ଥିବାବେଳେ ଏଥିରୁ ମାତ୍ର ୧୩୨ଟି ଫଏସଲା ହୋଇଥିଲା ଏବଂ ତନ୍ମଧ୍ୟରୁ ୬୨ଟିରେ ଦଣ୍ଡବିଧାନ କରାଯାଇଥିଲା । ଏହି କିସମର ଅପରାଧିକ ମାମଲାର ମାତ୍ର ୦.୬ ପ୍ରତିଶତ ଫଏସଲା ହୋଇଥିବାବେଳେ ଏଥିରେ ଦଣ୍ଡବିଧାନ ହାର ୪୭ ପ୍ରତିଶତ ଥିଲା । ବିଳମ୍ବିତ ବିଚାର ପ୍ରକ୍ରିୟା ବସ୍ତୁତଃ ଦୁର୍ନତୀଗ୍ରସ୍ତଙ୍କୁ ସୁହାଉଥିବା ଆଇନ୍ ବିଶାରଦମାନେ କହୁଛନ୍ତି ।