ଊପବାସ ପରେ କିପରି ଖାଦ୍ୟ ଖାଇଲେ ଶରୀରକୁ ପ୍ରୋଟିନ୍ ମିଳିଥାଏ

(ଶୁଭସ୍ମିତା ଦାଶ): ଧରାପୃଷ୍ଠରେ ବିରାଜମାନ କରିଛନ୍ତି ମା’ । ବର୍ଷକରେ ଥରେ ଭକ୍ତକୁ ଦର୍ଶନ ଦେବା ପାଇଁ ଉହ୍ଲାଇଆସନ୍ତି ମା’ ଦୁର୍ଗା । ଭକ୍ତ ମଧ୍ୟ ଅନେଇ ରହିଥାଏ ମା’ଙ୍କ ଦର୍ଶନ ପାଇଁ । କିପରି ନିଜର ଭକ୍ତିଭାବରେ ମା’ଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆର୍ଶୀବାଦ ଲାଭ କରିବ ସେ ନେଇ ଭକ୍ତ ମନରେ ସ୍ମରଣ କରିଥାଏ । ଏହି ପରିପେକ୍ଷୀରେ ଦଶହରା ପୂଜାର ମୁଖ୍ୟ ଆର୍କଷଣ ନବରାତ୍ରିରେ ବହୁତ ଲୋକ ବ୍ରତ ଏବଂ ଉପବାସ ରଖିଥାନ୍ତି। ବ୍ରତଧାରୀ ମାନେ ନିଷ୍ଠାର ସହ ଉପବାସ କରି ମାଙ୍କୁ ସ୍ମରଣ କରିଥାନ୍ତି । ମାତ୍ର ସମସ୍ତେ ଦିନ ତମାମ ଉପବାସ ରଖିବା ପାଇଁ ସକ୍ଷମ ହୁଅନ୍ତି ନାହିଁ । ଗୋଟେ ପଟେ ମାଙ୍କୁ ପୂଜାରେ ସନ୍ତୁଷ୍ଟ କରିବାର ଇଚ୍ଛା ଥିଲେ ମଧ୍ୟ ଉପବାସ ଜନିତ ଅସୁସ୍ଥତା ହେତୁ ଏଥିରୁ ନିବୃତ୍ତ ରୁହନ୍ତି । ତେଣୁ କରି ଉପାସ ରଖିବାକୁ ଚାହିୁଥିଲେ , ଉପାସ ପରେ ନିଜର ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ଦେଇଥିଲେ ଉପବାସ ଜନିତ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ ।

ପ୍ରୋଟିନ୍ ପ୍ରତି ଧ୍ୟାନ ଦିଅନ୍ତୁ: ଉପାସ ପରେ ପ୍ରୋଟିନ୍ ଯୁକ୍ତ ଭରପୂର ଆହାର ଖାଇବାର ପ୍ରୟାସ କରନ୍ତୁ। ଏହା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ। ଏଥି ପାଇଁ ଆପଣ କିଛି ସମୟ ପରେ ପନିର ମଧ୍ୟ ଖାଇପାରିବେ।

ପାଣି ପିଅନ୍ତୁ : ଦୀର୍ଘ ସମୟ ପର୍ୟ୍ୟନ୍ତ ଖାଲି ପେଟ ରହିବା ପରେ ଆଗେ ଗୋଟିଏ ଗ୍ଲାସ୍ ପାଣି ପିଇବା ସବୁଠାରୁ ଲାଭଦାୟକ ହେବ। ଯାହାଦ୍ବାରା ପେଟ ଥଣ୍ଡା ହେବ ଏବଂ ପରେ ହେବାକୁ ଥିବା ହଜମ ସମସ୍ୟାକୁ ରୋକାଯାଇପାରିବ।

ଜୁସ୍ ହେବ ଲାଭଦାୟକ: ଆପଣ ଲେମ୍ବୁ ପାଣି, ଲସି, ନଡ଼ିଆ ପାଣି ମଧ୍ୟ ପିଇ ପାରିବେ। ଏହା ଦ୍ବାରା ଆପଣଙ୍କୁ ଶକ୍ତି ମିଳିବ ଏବଂ ଆପଣଙ୍କ ହଜମ ପ୍ରକ୍ରିୟା ଠିକ୍ ଭାବେ ହେବ।
ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ: ଉପାସ ପରେ ତେଲ-ମସଲା ଯୁକ୍ତ ଖାଦ୍ୟ ନଖାଇବା ପାଇଁ ଚେଷ୍ଟା କରନ୍ତୁ। ମିଠା ଏବଂ ଛଣାଛଣି ଜିନିଷଠାରୁ ଦୂରେଇ ରୁହନ୍ତୁ,ଯାହା ଫଳରେ ଆପଣଙ୍କ ହଜମ ସମସ୍ୟାରେ କୈାଣସି ପ୍ରଭାବ ପଡ଼ିବ ନାହିଁ।

ମଲ୍ଟିଗ୍ରେନ୍ ଅଟା: ଆପଣ ମଲ୍ଟିଗ୍ରେନ୍ ଅଟା ଖାଇପାରିବେ। ତରକାରିରେ ଲାଉ,କଖାରୁ,ଟମାଟୋ,ଭେଣ୍ଡି,ଡାଲି ଏବଂ ଦହି ଭଳି ହାଲୁକା ଜିନିଷ ଖାଇପାରିବେ।
ଶକ୍ତିଦାୟକ ଖାଦ୍ୟ ଖାଆନ୍ତୁ: ବ୍ରତ ଖୋଲିବା ପରେ ହାଲୁକା ଏବଂ ପାନୀୟ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଆପଣ ଚାହିଁଲେ ଦହି ସହ ଫଳ ମଧ୍ୟ ଖାଇପାରିବେ।
ଅତ୍ୟଧିକ ଖାଦ୍ୟ ଖାଆନ୍ତୁ ନାହିଁ: ବ୍ରତ ଖୋଲିବା ପରେ କେତେକ ଲୋକ ଭୁରି ଭୋଜନ କରିଥାଆନ୍ତି ଯାହା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ। ଥରକରେ ବେଶି ଖାଦ୍ୟ ଖାଆନ୍ତୁ ନାହିଁ। ଦୀର୍ଘ ସମୟ ଖାଲି ପେଟ ରହିବା ପରେ ଅତ୍ୟଧିକ ଖାଦ୍ୟ ଖାଇବା ଫଳରେ ପେଟ ବ୍ୟଥା ସମସ୍ୟା ହୋଇପାରେ ଏବଂ ହଜମ କ୍ରିୟାରେ ମଧ୍ୟ ସମସ୍ୟା ଦେଖାଯାଇପାରେ।
।