ଭୁବନେଶ୍ୱର:- ଏଣିକି ବେଆଇନ ନିର୍ମାଣକୁ ନେଇ କଠୋର ହେଲା ନଗର ଉନ୍ନୟନ ବିଭାଗ। ସୁପ୍ରିମକୋର୍ଟଙ୍କ ପ୍ରକାଶିତ ଏକ ରାୟକୁ ଆଧାର କରି ନୂଆ ନିର୍ଦ୍ଦେଶାବଳୀ ଜାରି କଲା ବିଭାଗ। କଠୋର ହେବ ଯାଞ୍ଚ ପ୍ରକ୍ରିୟା, ବିଲଡିଂ ପ୍ଲାନ ଉଲ୍ଲଘଂନ କଲେ ହେବ କାର୍ଯ୍ୟାନୁଷ୍ଠାନ। ଏଣିକି ବିଲଡିଂ ପ୍ଲାନର ଏକ କପି ନିର୍ମାଣ ସ୍ଥାନରେ ପ୍ରଦର୍ଶନ କରାଇବେ ବିଲ୍ଡର। ପ୍ଲାନ ଅନୁମୋଦନକାରୀ କର୍ତ୍ତୃପକ୍ଷ ସମୟ ସମୟରେ ନିର୍ମାଣାଧୀନ ବିଲ୍ଡିଂ ଯାଞ୍ଚ କରିବେ। କୌଣସି ବିଚ୍ୟୁତି ଦେଖାଦେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ।
ଏଣିକି କୋଠାବାଡି ପ୍ଲାନ୍ ଅନୁମୋଦନ ପୂର୍ବରୁ ବିଲ୍ଡର୍ସ କିମ୍ବା ବ୍ୟକ୍ତିଗତଙ୍କଠାରୁ ଅକୁପେସନ ସାର୍ଟିଫିକେଟ୍(ଓସି) ଦେବା ସଂକ୍ରାନ୍ତରେ ଅଣ୍ଡରଟେକିଂ ରଖାଯିବା ବାଧ୍ୟତାମୂଳକ। ଏହାସହିତ ନିର୍ମାଣାଧୀନ ସ୍ଥାନରେ ଅନୁମୋଦିତ ଯୋଜନା ତଥା ନିର୍ମାଣ ନକ୍ସା ବିଲଡର୍ସ ପ୍ରଦର୍ଶନ କରିବେ। ନିର୍ମାଣ ସମାପ୍ତି/ଅଧିଗ୍ରହଣ ପ୍ରମାଣପତ୍ର କେବଳ ପରିଦର୍ଶନ ପରେ ପ୍ରାଧିକରଣ ଦ୍ୱାରା ଜାରି କରିବେ। ଯଦି ଏକ୍ଷେତ୍ରରେ କୌଣସି ତ୍ରୁଟି ବିଚ୍ୟୁତି ଦେଖାଯାଏ, ତେବେ ତାହା ସଂଶୋଧନ ନ ହେବା ପର୍ଯ୍ୟନ୍ତ ସମାପ୍ତି/ଅଧିଗ୍ରହଣ ପ୍ରମାଣପତ୍ର ସ୍ଥଗିତ ରହିବ। ଏହି ବିଜ୍ଞପ୍ତି ଅନୁଯାୟୀ, ନିର୍ମାଣ କାର୍ଯ୍ୟ ଓଡ଼ିଶା ଡେଭଲପମେଣ୍ଟ ଅଥରିଟି ଆଇନ, ୧୯୮୨ ଏବଂ ଓଡ଼ିଶା ଟାଉନ ପ୍ଲାନିଂ ଓ ଇମ୍ପ୍ରୁଭମେଣ୍ଟ ଟ୍ରଷ୍ଟ ଆଇନ, ୧୯୫୬ ଅନୁଯାୟୀ କଡ଼ାକଡ଼ି ପାଳନ କରାଯିବ ।

ନିର୍ମାଣ ସ୍ଥଳରେ ଅନୁମୋଦିତ ବିଲ୍ଡିଂ ପ୍ଲାନର ଏକ ନକଲ ପ୍ରଦର୍ଶନ କରିବା, ଅନଧିକୃତ ନିର୍ମାଣ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବେଆଇନ କୋଠାବାଡ଼ି ନିର୍ମାଣ ଯୋଗୁଁ ଅନେକ ସମୟରେ ସାଧାରଣ ଲୋକେ ସମସ୍ୟାରେ ପଡୁଛନ୍ତି। ସେହିପରି ବିଦ୍ୟୁତ୍, ପାଣି ନିଷ୍କାସନ(ଡ୍ରେନେଜ୍) ସଂଯୋଗ କେବଳ ‘ଓସି ’ ପରେ ହିଁ ପ୍ରଦାନ କରାଯିବା ବାଧ୍ୟତାମୂଳକ। ଯଦି ଓସି ପରେ ଏହି ସବୁ କ୍ଷେତ୍ରରେ ତ୍ରୁଟି ବିଚ୍ୟୁତି ଦେଖାଯାଏ ତେବେ ନିର୍ମାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ପ୍ରମୁଖ ସଚିବ ବିଜ୍ଞପ୍ତିରେ ଦର୍ଶାଇଛନ୍ତି। ସେହିପରି କୌଣସି ଅନଧିକୃତ ନିର୍ମାଣରେ ବ୍ୟାପାର ଲାଇସେନ୍ସ କିମ୍ବା ବ୍ୟବସାୟ/ବାଣିଜ୍ୟ ପାଇଁ ଅନୁମତି ଦିଆଯିବ ନାହିଁ।

ଏସଂକ୍ରାନ୍ତୀୟ ଆବେଦନଗୁଡ଼ିକ ୯୦ ଦିନ ମଧ୍ୟରେ ନିଷ୍ପତ୍ତି ହେବା ଆବଶ୍ୟକ। ଏନେଇ ରାଜ୍ୟ ସରକାରଙ୍କୁ ସକୁର୍ଲାର ଜାରି କରିବାକୁ ହେବ, ଯେଉଁଥିରେ ସମସ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୂର୍ବ ନିର୍ଦ୍ଦେଶ ଏବଂ ଏହି ଆଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ। ଏହା ପାଳନ ନ କଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ବ୍ୟାଙ୍କଗୁଡ଼ିକ କେବଳ ଓସି ଥିବା ନିର୍ମାଣକୁ ବନ୍ଧକ(ସିକ୍ୟୁରିଟି) ପାଇଁ ଗ୍ରହଣ କରିପାରିବେ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କୁହାଯାଇଛି।
