( ଦୀପକ କୁମାର): ପୋଖରୀ ବୁଡି ଦୁଇ ନାବାଳିକା ମୃତ । କୁଆଖିଆ ଥାନା ଅନ୍ତର୍ଗତ ନଠୁଆବର ପଞ୍ଚାୟତ କୁରୁକୁରା ଗାଁରେ ଘଟିଛି ଦୁଃଖଦ ଘଟଣା ।
ସୂଚନାଅନୁଯାୟୀ, କୁରକୁରା ଗ୍ରାମର ବିପିନ ସ୍ବାଇଁଙ୍କ ଝିଅ ରୋଶନୀ ଓ ହୃଷୀକେଶ ସ୍ବାଇଁଙ୍କ ଝିଅ ସଙ୍ଗୀତା ଆଜି ଗାଁ ସ୍କୁଲ୍ ପାଖ ପୋଖାରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ଦୁଇ ଭଉଣୀ ଅଙ୍ଗନାବାଡ଼ି କେନ୍ଦ୍ରରୁ ଅଣ୍ଡା ଓ ଛତୁଆ ନେଇ ଘରକୁ ଫେରିଥିଲେ। ଅଣ୍ଡା, ଛତୁଆ ଘରେ ରଖି ବୁଲିବାକୁ ଚାଲି ଯାଇଥିଲେ। ଜନ୍ମଦିନ ଉତ୍ସବ ପାଇଁ ବ୍ୟସ୍ତ ଥିବା ଘର ଲୋକଙ୍କ ଅଲକ୍ଷ୍ୟରେ ରୋଶନୀ ଓ ସଂଗୀତା ସ୍କୁଲ୍ ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଚାଲିଯାଇଥିଲେ। ପୋଖରୀ ହୁଡ଼ାରେ ଡ୍ରେସ୍ ରଖି ଦୁଇ ଭଉଣୀ ପୋଖରୀକୁ ପଶି ଯାଇଥିବା ବେଳେ ଗଭୀର ପାଣିରୁ ଆଉ ବାହାରି ପାରିନଥିଲେ। ଦୀର୍ଘ ସମୟ ପରେ ଦୁହେଁ ନଫେରିବାରୁ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ। ପୋଖରୀ ହୁଡ଼ାରେ ପଡ଼ିଥିବା ଡ୍ରେସ୍କୁ ଦେଖି କେହି ଖବର ଦେବାରୁ ଲୋକମାନେ ପାଣିରେ ପଶି ଖୋଜାଖୋଜି କରିଥିଲେ। ସେଠାରୁ ଉଭୟଙ୍କ ନିସ୍ତେଜ ଶରୀର ଉଦ୍ଧାର କରାଯାଇଥିଲା। ଉଭୟଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।