(ସୂର୍ୟ୍ୟକାନ୍ତ ବେହେରା / ମାଲକାନଗିରି) : କରୋନା ସଂକ୍ରମଣ ଯୋଗୁଁ ଲକଡାଉନ ଘୋଷଣା କରାଯାଇଥିବାବେଳେ ଆନ୍ଧ୍ର, ଓଡିଶା, ଛତିଶଗଡ଼ ୩ ରାଜ୍ୟର ସୀମାକୁ ସିଲ କରାଯାଇଛି । ଏପରି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗତକାଲି ଧଳା ରଙ୍ଗର ଏମଏଚ୨୭ଡ଼ିଏ୬୩୩୨ ନମ୍ବର ସ୍କୋପ୍ରିଓ ଗାଡି ପୋଡ଼ଶି ଆନ୍ଧ୍ର ପ୍ରଦେଶର ଚିନ୍ତୁର ଠାରେ ପୋଲିସ କର୍ମଚାରିଙ୍କୁ ଧକ୍କା ଦେଇ ଓଡିଶା ଓ ଛତିଶଗଡ ରାଜ୍ୟ ଦେଇ ନିଜ ରାଜ୍ୟକୁ ଖସି ଯିବାକୁ ଉଦ୍ୟମ କରୁଥିଲା । ୩ ରାଜ୍ୟର ପୋଲିସ ଦ୍ୱାରା କରାଯାଇଥିବା ବ୍ୟାରିକେଡ଼ ଭାଙ୍ଗିବା ପରେ ଶେଷରେ ଛତିଶଗଡ଼ ରାଜ୍ୟ କୋଣ୍ଟାଠାରେ ସିଆରପିଏଫ ଯବାନ ଗାଡିକୁ ଅଟକାଇବାକୁ ଚେଷ୍ଟା କରିବାବେଳେ ସେ ଯବାନ ଉପରକୁ ଗାଡି ଚଢାଇ ଖସିବାକୁ ଉଦ୍ୟମ କରିବାରୁ ଯବାନ ଗୁଳି ଚଳାଇଥିଲେ । ଗୁଳି ଗାଡି ଚଳାଉଥିବା ବ୍ୟକ୍ତିର ଅଣ୍ଟା ରେ ଲାଗିଥିଲା । ଏହାପରେ ତାକୁ କାବୁ କରି ଧରିଥିଲେ । ଆହତ ଗାଡି ଚାଳକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଗଦଲ ପୁର ଚିକିତ୍ସା ପାଇଁ ନେଇଥିଲେ । କଣ ପାଇଁ ଗାଡି ଚାଳକ ଏପରି ବ୍ୟାରିକେଡ଼ ଭାଙ୍ଗି ଯାଉଥିଲା ସେ ନେଇ ତଦନ୍ତ ଚାଲିଛି । ଗାଡି ମହାରାଷ୍ଟ୍ରର ହୋଇଥିବା ବେଳେ ଆହତ ବ୍ୟକ୍ତି ଜଣଙ୍କ ଅମରାବତୀ ଜିଲ୍ଲା ସୁଲତାନପୁର ଅଞ୍ଚଳର ହନୁମନ୍ତ ମୋହିତ ବୋଲି ଜଣାପଡିଛି ।