ରତ୍ନଭଣ୍ଡାର ଚାବି ହଜିବା ମାମଲା ଦୁଇ ମାସ ମଧ୍ୟରେ ସାର୍ବଜନୀନ ହେବ

ବ୍ୟୁରୋ-: ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ମାମଲା । ଚାବି ହଜିବା ତଦନ୍ତ ରିପୋର୍ଟ କ୍ୟାବିନେଟରେ ହେବ ଉପସ୍ଥାପିତ । କ୍ୟାବିନେଟର ଉପସ୍ଥାପିତ ହେବା ନେଇ ରାଜ୍ୟ ସରକାର ନେଇଛନ୍ତି ନିଷ୍ପତ୍ତି ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାର ଶୁଣାଣି  ସୋମବାର ହାଇକୋର୍ଟରେ ହୋଇଛି। ତେବେ  ଶୁଣାଣି ସମୟରେ ତଦନ୍ତ କମିଶନଙ୍କ ରିପୋର୍ଟ ଆଗାମୀ ଦୁଇ ମାସ ମଧ୍ୟରେ ରାଜ୍ୟ କ୍ୟାବିନେଟରେ ଉପସ୍ଥାପିତ ହେବ ବୋଲି ଆଡଭୋକେଟ୍‌ ଜେନେରାଲ କୋର୍ଟଙ୍କୁ ସୂଚନା ଦେଇଥିଲେ । ଅନ୍ୟପଟେ ଶ୍ରଦ୍ଧାଳୁଙ୍କ ଭିଡ଼ ସତ୍ତ୍ୱେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଜାରି ରହିଛି ।  ଆସନ୍ତା ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଏହା ଶଷ ହୋଇଯିବ ବୋଲି ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ଭେକ୍ଷଣ ସଂସ୍ଥା ବା ASI ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ହାଇକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ମାସ ୧୫ ତାରିଖରେ ହେବ ।

୨୦୧୮ ମସିହାରେ  ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିଯାଇଥିବା ଖବର ସାମ୍ନାକୁ ଆସିଥିଲା । ଏହାକୁ ନେଇ ରାଜ୍ୟରେ ତୀବ୍ର ରାଜନୈତିକ ବିବାଦ ସୃଷ୍ଟି ହୋଇଥିଲା ଏବଂ ବିରୋଧୀ ଦଳ ସରକାରଙ୍କୁ ଘେରିଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ପାଇଁ ଜଷ୍ଟିସ ରଘୁବର ଦାସ କମିଶନ ଗଠନ କରିଥିଲେ । କମିଶନ ତାଙ୍କ ତଦନ୍ତ ପରେ ୨୦୨୨ରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ, ମାତ୍ର ଏହା ସାର୍ବଜନୀନ ହୋଇ ନ ଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଥିଲା ପରେ ମାମଲା ହାଇକୋର୍ଟରେ ପହଞ୍ଚିଥିଲା ।