ନୂଆଦ୍ୱିଲ୍ଲୀ: ଦ୍ୱିଲ୍ଲୀର ସ୍ଥିତି ସୁଧୁରିବା ପରେ ଉତ୍ତରପ୍ରଦେଶ ଆଗ୍ରାରେ ବଢୁଛି ଯମୁନା ନଦୀର ଜଳସ୍ତର । ପାଣିରେ ଭାସୁଛି ଉତ୍ତରପ୍ରଦେଶର ଅନେକ ଅଞ୍ଚଳ । ବନ୍ୟା ପାଣି ଆଗ୍ରାର ବିଶ୍ୱ ଐତିହାସିକ ସ୍ଥଳ ତାଜମହଲର ବାହାର ପାର୍ଶ୍ବ କାନ୍ଥକୁ ପାଣି ଛୁଇଁଛି। ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ଏବେ ଯମୁନା ନଦୀର ଜଳସ୍ତର ୪୯୯.୧ ଫୁଟ୍ରେ ରହିଛି । ଯମୁନା ନଦୀରେ ୪୯୯ ଫୁଟ ଜଳସ୍ତର ରହିଲେ ମଧ୍ୟମ ଧରଣର ବନ୍ୟା ଆସିଥାଏ। ସେହିପରି ଜଳସ୍ତର ୫୦୮ ଫୁଟରେ ରହିଲେ ଉଚ୍ଚ ବନ୍ୟା ଆସିଥାଏ। ତେବେ ଗତ ୪୦ବର୍ଷରେ କେବେହେଲେ ଯମୁନା ନଦୀରେ ଏପରି ବନ୍ୟା ଆସି ନଥିଲା। ମଥୁରାସ୍ଥିତ ଗୋକୁଳ ବ୍ୟାରେଜରୁ ୧,୨୪,୩୦୨ କ୍ୟୁସେକ ପାଣି ଛଡାଯାଇଥିବାରୁ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗୋକୁଳ ବ୍ୟାରେଜର ସମସ୍ତ ୭ଟି ଗେଟ୍କୁ ଖୋଲିଦିଆଯାଇଛି। ଅନ୍ୟପଟେ ଦିଲ୍ଲୀର ବନ୍ୟା ପରିସ୍ଥିତିରେ ଉନ୍ନତି ଆସିଛି। ସହର ମଧ୍ୟକୁ ଗାଡି ପ୍ରବେଶ କଟକଣାକୁ ଉଠାଇ ଦିଆଯାଇଛି। ଦିଲ୍ଲୀରେ ବନ୍ୟା ସ୍ଥିତି ଲାଗି ରହିଥିବାବେଳେ ମଙ୍ଗଳବାର ସହରର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଆଗାମୀ ଦୁଇ ତିନିଦିନ ପର୍ଯ୍ୟନ୍ତ ଉତ୍ତର ଭାରତରେ ବର୍ଷା ହେବାର ସମ୍ଭାବନା ଥିବାରୁ ଯମୁନା ନଦୀର ଜଳସ୍ତର ପୁଣି ବୃଦ୍ଧି ପାଇବାର ଆଶଙ୍କା ରହିଛି। ସେହିପରି ତେଲଙ୍ଗାନାର କେତେକ ଅଞ୍ଚଳରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖାଯାଇଛି। ଲଗାଣ ବର୍ଷା ଯୋଗୁଁ ଖାମାମ୍, ୱାରାଙ୍ଗାଲା ଓ ଅନ୍ୟ କେତେକ ଜିଲାରେ ଜଳବନ୍ଦୀ ସମସ୍ୟା ଦେଖାଯାଇଛି।