୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ଓଡ଼ିଶାରେ ୨୦୨୭ରେ ହେବାକୁ ଥିବା ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଏବେଠାରୁ ଅଣ୍ଟା ଭିଡ଼ିଲେଣି । ଏହାର ଅଂଶସ୍ୱରୂପ ଆସନ୍ତା ଜୁଲାଇ ୨୧ ତାରିଖରେ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓ କନଫରେନ୍ସ ଅନୁଷ୍ଠିତ ହେବ। ଏ ନେଇ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଙ୍କୁ ଚିଠି ଜାରି କରାଯାଇଛି । ଓସୱାନ (OSWAN) ପ୍ଲାଟଫର୍ମ ମାଧ୍ୟମରେ ଆୟୋଜିତ ହେବାକୁ ଥିବା ଏହି ବୈଠକରେ ୨୦୨୭ ନିର୍ବାଚନର ପ୍ରସ୍ତୁତି ସହ ଜଡିତ ଦୁଇଟି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହେବ । ପ୍ରଥମେ, ବୁଥ୍ଭିତ୍ତିକ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟକ୍ରମର ରୂପରେଖା, କାର୍ଯ୍ୟାନ୍ୱୟନ ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯିବ ।

ଏହି ସର୍ଭେ ମାଧ୍ୟମରେ ଭୋଟର ତାଲିକାକୁ ଅଧିକ ସଠିକ୍ ଓ ଅଦ୍ୟତନ କରିବାକୁ କମିଶନ ଗୁରୁତ୍ୱ ଦେଉଛନ୍ତି । ସେହିପରି, ୨୦୨୨ ମସିହାରେ ଅନୁଷ୍ଠିତ ପୌର ନିର୍ବାଚନ ସମ୍ପର୍କିତ ବାକି ରହିଥିବା ଡିସି (DC) ବିଲ୍ ଏବଂ ଉପଯୋଗିତା ପ୍ରମାଣପତ୍ର (UC) ଦାଖଲ ପ୍ରକ୍ରିୟାର ଅଗ୍ରଗତି ମଧ୍ୟ ବୈଠକରେ ସମୀକ୍ଷା କରାଯିବ । ବାକି ଥିବା ଆର୍ଥିକ ଓ ପ୍ରଶାସନିକ ପ୍ରକ୍ରିୟାକୁ ଶୀଘ୍ର ସମାପ୍ତ କରିବା ଉପରେ ମଧ୍ୟ ଜୋର ଦିଆଯିବ । ଏହି ଭିଡିଓ କନଫରେନ୍ସରେ ସମସ୍ତ ଜିଲ୍ଲାପାଳଙ୍କ ସମେତ ପୌର ନିର୍ବାଚନର ନୋଡାଲ ଅଫିସର ଭାବେ କାର୍ଯ୍ୟରତ ଅତିରିକ୍ତ ଜିଲ୍ଲାପାଳ, ସମସ୍ତ ERO ଓ AERO, ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ପୃକ୍ତ ସେକ୍ସନର ଡେପୁଟି କଲେକ୍ଟର ଓ ଆସିଷ୍ଟାଣ୍ଟ କଲେକ୍ଟରମାନଙ୍କୁ ନିଜ ନିଜ ଜିଲ୍ଲାର ଓସୱାନ କେନ୍ଦ୍ରରେ ଉପସ୍ଥିତ ରହିବାକୁ କୁହାଯାଇଛି ।
