ଓଇଆର୍‌ଇସି ର ନୂଆ ଅଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି

ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ଇସି)ର ନୂଆ ଅଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଓଇଆର୍‌ଇସିର ଅଧ୍ୟକ୍ଷ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଗତ ୨୬ ମେ, ୨୦୨୬ରୁ ଏହି ପଦ ଖାଲି ପଡ଼ିଥିଲା। ଏହାପରେ ରାଜ୍ୟ ସରକାର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରି ପ୍ରଥମେ ଚୟନ କମିଟିକୁ ଖାଲି ପଦ ସମ୍ପର୍କରେ ଅବଗତ କରାଇଥିବାବେଳେ ବର୍ତ୍ତମାନ ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀଙ୍କଠାରୁ ଆବେଦନ ଆହ୍ୱାନ କରାଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ୧୦ ଅଗଷ୍ଟ ୨୦୨୬ ସନ୍ଧ୍ୟା ୫.୩୦ଟା ସୁଦ୍ଧା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶକ୍ତି ବିଭାଗଙ୍କ ନିକଟକୁ ପଞ୍ଜୀକୃତ ଡାକ କିମ୍ବା ଇ-ମେଲ୍ ମାଧ୍ୟମରେ ଆବେଦନ ପଠାଇପାରିବେ। ଅସମ୍ପୂର୍ଣ୍ଣ କିମ୍ବା ନିର୍ଦ୍ଧାରିତ ସମୟ ପରେ ପହଞ୍ଚୁଥିବା ଆବେଦନକୁ ବିଚାରକୁ ନିଆଯିବ ନାହିଁ। ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ, ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀଙ୍କର ଇଞ୍ଜିନିୟରିଂ, ଫାଇନାନ୍ସ, ବାଣିଜ୍ୟ, ଅର୍ଥନୀତି, ଆଇନ କିମ୍ବା ପରିଚାଳନା କ୍ଷେତ୍ରରେ ଯଥେଷ୍ଟ ଜ୍ଞାନ ଓ ଦୀର୍ଘ ଅଭିଜ୍ଞତା ଥିବା ସହ ସତତା, ଦକ୍ଷତା ଓ ସୁନାମ ରହିବା ଆବଶ୍ୟକ। ନିଯୁକ୍ତି ପରେ ସେ ଅନ୍ୟ କୌଣସି ପଦବିରେ ରହିପାରିବେ ନାହିଁ। ନିଯୁକ୍ତ ଅଧ୍ୟକ୍ଷ ପାଞ୍ଚ ବର୍ଷ କିମ୍ବା ୬୫ ବର୍ଷ ବୟସ ପୂରଣ କରିବା ପର୍ୟ୍ୟନ୍ତ, ଯେଉଁଟି ପ୍ରଥମେ ହେବ, ସେପର୍ୟ୍ୟନ୍ତ ଦାୟିତ୍ୱରେ ରହିବେ। ତାଙ୍କୁ ପ୍ରତିମାସ ୨.୨୫ ଲକ୍ଷ ଟଙ୍କା ବେତନ ସହ ସରକାରଙ୍କ ନିୟମ ଅନୁସାରେ ମହଙ୍ଗା ଭତ୍ତା ଓ ଅନ୍ୟାନ୍ୟ ସୁବିଧା ମିଳିବ।