ଗାଇ ଚରାଳିକୁ ମାଡି ବସିଲା ସିଂହ । ଅଧମରା ଅବସ୍ତାରେ ପଡି ରହିଥିଲେ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ପାଲିଟାନା ଠାରେ ଏଠାରେ ଜଣେ ବ୍ୟକ୍ତିଙ୍କୁ ସିଂହ ମାଡି ବସିଥିବାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି । ଭିଡିଓରେ, ଏକ ସିଂହ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ପରେ ତାଙ୍କ ଗୋଡକୁ ଧରି ବସିଯାଇଥିଲା। ସିଂହଙ୍କ କବଳରେ ଫସି ରହିଥିବା ବ୍ୟକ୍ତିଟି ଭୟଭୀତ ଦେଖାଯାଉଥିଲେ । ଏହାକୁ ଦେଖି ପାଖରେ ଥିବା ଲୋକମାନେ ଚିତ୍କାର କରୁଥିଲେ। ଗର୍ଜିଆ ଗାଁରେ ଏକ ସିଂହ ଜଣେ ଗୋପାଳକଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଛି ।

ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ଯେ ବ୍ୟକ୍ତି ଜଣକ ତାଙ୍କ ଗାଈ ଚରାଉଥିବା ସମୟରେ ଏହି ଆକ୍ରମଣ ହୋଇଥିଲା।ପୀଡିତ ବ୍ୟକ୍ତିଙ୍କୁ ଜରୁରୀ ଚିକିତ୍ସା ପାଇଁ ପାଲିଟାନାର ମାନସିଂହଜୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ କ୍ରୋଧ ପ୍ରକାଶ ପାଇଛି । ସିଂହ ଦ୍ୱାରା ଆକ୍ରମଣ ହୋଇଥିବା ବ୍ୟକ୍ତିଙ୍କୁ କାଲୁଭାଇ ବୋଘାଭାଇ ପରମାର ବୋଲି ଚିହ୍ନଟ କରାଯାଇଛି ।

ବନ ବିଭାଗ ନିକଟରେ ଜଙ୍ଗଲୀ ପ୍ରାଣୀଙ୍କୁ ଯଥାଶୀଘ୍ର ଗାଁରୁ ଘଉଡ଼ାଇ ଦେବା ପାଇଁ ଦାବି କରାଯାଇଛି।ସିଂହକୁ “ଜଙ୍ଗଲର ରାଜା” ଭାବରେ ଜଣାଯାଏ କାରଣ ସେ କାହାକୁ ଭୟ କରେ ନାହିଁ, ଏବଂ ସମଗ୍ର ଜଙ୍ଗଲ ତା’ର ଉପସ୍ଥିତିରେ ଥରି ଉଠେ। ସିଂହ ମଣିଷ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ପ୍ରମାଣିତ ହୋଇପାରେ । ଭୋକ ଯୋଗୁଁ ସେମାନେ ସହଜରେ ଲୋକଙ୍କୁ ଶିକାର କରିପାରନ୍ତି, ଏବଂ ମଣିଷ ଶକ୍ତି ସିଂହର ଶକ୍ତି ସହିତ କୌଣସି ତୁଳନା କରିପାରୁନାହିଁ।