ଫୁଟବଲ୍ ବିଶ୍ୱକପ୍ର ଉତ୍ସାହ ଏବେ ଶୀର୍ଷରେ ପହଞ୍ଚିଥିବା ବେଳେ ୨୦୨୬ ଫିଫା ବିଶ୍ୱକପ୍ ଏବେ ଶେଷ ହେବାର ବହୁତ ନିକଟତର ହୋଇଯାଇଛି। ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଥିବା ୪୮ଟି ଦଳ ମଧ୍ୟରୁ ୪୦ଟି ଦଳ ବାଦ୍ ପଡ଼ିସାରିଛନ୍ତି ଏବଂ ଏବେ କେବଳ ଆଠଟି ଦଳ କ୍ୱାର୍ଟର ଫାଇନାଲ୍ ରାଉଣ୍ଡରେ ପରସ୍ପରକୁ ଟକ୍କର ଦେବାକୁ ଯାଉଛନ୍ତି।

ତେବେ ଟୁର୍ଣ୍ଣାମେଣ୍ଟର ଅନ୍ୟତମ ଆୟୋଜକ ଦେଶ ଯୁକ୍ତରାଷ୍ଟ୍ର ଆମେରିକା (USMNT) ରାଉଣ୍ଡ ଅଫ୍ ୧୬ରେ ହିଁ ବିଦାୟ ନେଇସାରିଛି। ବିଶ୍ୱକପ୍ରୁ ବାଦ୍ ପଡ଼ିବା ସତ୍ତ୍ୱେ ଆମେରିକା ପୁରୁଷ ଜାତୀୟ ଦଳ ଫିଫା ପକ୍ଷରୁ ମୋଟ ୧୬ ନିୟୁତ ଡଲାର ଅର୍ଥାତ୍ ପ୍ରାୟ ୧୫୨ କୋଟି ଟଙ୍କାର ପୁରସ୍କାର ରାଶି ପାଇବ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ, ଏହି ବିପୁଳ ପୁରସ୍କାର ରାଶି କେବଳ ବିଶ୍ୱକପ୍ ଖେଳିଥିବା ୨୬ ଜଣ ପୁରୁଷ ଖେଳାଳିଙ୍କ ମଧ୍ୟରେ ବଣ୍ଟାଯିବ ନାହିଁ, ବରଂ ଏହାର ଠିକ୍ ଅଧା ଭାଗ ଆମେରିକାର ମହିଳା ଜାତୀୟ ଫୁଟବଲ୍ ଦଳ (USWNT)କୁ ଦିଆଯିବ।

ସାଧାରଣତଃ ଯେକୌଣସି ଖେଳରେ ଅଂଶଗ୍ରହଣକାରୀ ଦଳ ହିଁ ପୁରସ୍କାର ଟଙ୍କା ପାଇଥାନ୍ତି, କିନ୍ତୁ ଆମେରିକୀୟ ଫୁଟବଲ୍ ସଂସ୍ଥାର ନିୟମ ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ପୁରୁଷ କିମ୍ବା ମହିଳା ଯେକୌଣସି ବିଶ୍ୱକପ୍ରୁ ମିଳୁଥିବା ପୁରସ୍କାର ଟଙ୍କାକୁ ଉଭୟ ଦଳ ମଧ୍ୟରେ ସମାନ ଭାବରେ ବାଣ୍ଟି ଦିଆଯାଏ। ଏହା ପଛରେ ରହିଛି ମହିଳା ଦଳ ଦ୍ୱାରା ଦୀର୍ଘ ୬ ବର୍ଷ ଧରି ସମାନ ଦରମା ପାଇଁ ଲଢ଼ାଯାଇଥିବା ଏକ ଐତିହାସିକ ଆଇନଗତ ଲଢ଼େଇ। ଶେଷରେ ୨୦୨୨ ମସିହାରେ ଆମେରିକୀୟ ଫୁଟବଲ୍ ସଂସ୍ଥା ‘ୟୁଏସ୍ ସକର୍’ ଉଭୟ ପୁରୁଷ ଓ ମହିଳା ଦଳ ସହ ଏକ ସମାନ ପୁରସ୍କାର ବଣ୍ଟନ ପ୍ରକ୍ରିୟା ଉପରେ ଚୁକ୍ତି କରିଥିଲା।
ଏହି ନିୟମ ଅନୁଯାୟୀ, ପ୍ରତ୍ୟେକ ବିଶ୍ୱକପ୍ରୁ ମିଳୁଥିବା ମୋଟ ପୁରସ୍କାର ରାଶିର ୨୦ ପ୍ରତିଶତ ‘ୟୁଏସ୍ ସକର୍’ ପାଖକୁ ଯାଏ ଏବଂ ବାକି ୮୦ ପ୍ରତିଶତ ଟଙ୍କା ଦୁଇଟି ଦଳ ମଧ୍ୟରେ ସମାନ ଭାବେ ବଣ୍ଟାଯାଏ। ସେହି ହିସାବରେ ଏବେ ୧୬ ନିୟୁତ ଡଲାରରୁ ୩.୨ ନିୟୁତ ଡଲାର ୟୁଏସ୍ ସକରକୁ ଯିବ, ଏବଂ ବାକି ୧୨.୮ ନିୟୁତ ଡଲାରରୁ ଉଭୟ ପୁରୁଷ ଓ ମହିଳା ଦଳ ୬.୪ ନିୟୁତ ଡଲାର (ପ୍ରାୟ ୬୧.୧୫ କୋଟି ଟଙ୍କା) ଲେଖାଏଁ ପାଇବେ। ଫଳରେ ପ୍ରତ୍ୟେକ ଖେଳାଳିଙ୍କ ଆକାଉଣ୍ଟକୁ ପ୍ରାୟ ୨.୩୫ କୋଟି ଟଙ୍କା ଯିବ, ଯାହା ଏବେ କ୍ରୀଡ଼ା ଜଗତରେ ଏକ ବଡ଼ ଉଦାହରଣ ସୃଷ୍ଟି କରିଛି।