ଭୁବନେଶ୍ଵର: ଆଜି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ରାଜ୍ୟବ୍ୟାପୀ ବାଧ୍ୟତାମୂଳକ ଓଟିଇଟି ପରୀକ୍ଷା । ପାଖାପାଖି ୭୫ ହଜାରରୁ ଅଧିକ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ଏହି ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ଦେବାକୁ ଯାଉଛନ୍ତି । ରାଜ୍ୟର ୧୯୩ ଟି ପରୀକ୍ଷା କେନ୍ଦ୍ରରେ ୭୫ ହଜାର ୪୦୩ ଶିକ୍ଷକ ଶିକ୍ଷୟିତ୍ରୀ ଦେବେ ଏହି ପରୀକ୍ଷା । ସାରା ରାଜ୍ୟରେ ଲଘୁଚାପ ଓ ଲଗାଣ ବର୍ଷା ଜାରି ରହିଥିବା ବେଳେ ପରୀକ୍ଷା କେନ୍ଦ୍ରରେ ୨୪ ଘଣ୍ଟିଆ ପାୱାର ସପ୍ଲାଇ ପାଇଁ ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ହୋଇଥିବା ବେଳେ ବୋର୍ଡରେ ରହିଛି ଇଣ୍ଟିଗ୍ରେଟେଡ଼ କମାଣ୍ଡ କଣ୍ଟ୍ରୋଲ ରୁମ । ଏହି କଣ୍ଟ୍ରୋଲ ରୁମ ଜରିଆରେ ବୋର୍ଡରୁ ସମସ୍ତ ପରୀକ୍ଷା କେନ୍ଦ୍ର ନିରୀକ୍ଷଣ କରି ପାରିବେ ବୋର୍ଡ ଅଧିକାରୀ ।

ଏହି ସ୍ପେସାଲ୍ ଓଟିଇଟି ପାଇଁ ରାଜ୍ୟରେ ଆବେଦନରତ ୭୫ ହଜାରରୁ ଅଧିକ ଇନ୍ସର୍ଭିସ ଶିକ୍ଷକଙ୍କ ମଧ୍ୟରୁ ୨ ହଜାର ୬ ଶହ ଜଣ ଶାରୀରିକ ଅକ୍ଷମ ପ୍ରାର୍ଥୀ ଥିବା ସୂଚନା ମିଳିଛି । ଉକ୍ତ ପ୍ରାର୍ଥୀମାନଙ୍କୁ ଅଧିକ ୫୦ ମିନିଟ୍ ସମୟ ଦିଆଯିବ । ପରୀକ୍ଷା ଦୁଇଟି ସିଟିଂରେ ହେବ । ପରୀକ୍ଷା ସକାଳ ୯ ରୁ ଆରମ୍ଭ ହେବ । ପ୍ରଥମ ସିଟିଂରେ ପେପର ୧ ପରୀକ୍ଷା ହେବ ଏବଂ ଏହା ୧୧ ଟା ୩୦ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱିତୀୟ ସିଟିଂରେ ପେପର ୨ ପରୀକ୍ଷା ଅପରାହ୍ନ ୨ ଟାରୁ ସାଢେ ୪ ଟା ପର୍ଯ୍ୟନ୍ତ ଚାଲିବ । ତେବ ପୂର୍ବରୁ ସୋସିଆଲ୍ ମିଡିଆରେ ଓଟିଇଟିର ପେପର୍-୧ ଓ ପେପର୍-୨ର ହାତଲେଖା ପ୍ରଶ୍ନ ଓ ତାହାର ଉତ୍ତର ଘୂରି ବୁଲିଥିଲା । ଏହାକୁ ଦେଖି ପରୀକ୍ଷା ବାତିଲ କରାଯାଇଥିଲା । ଏହି ବିଭ୍ରାଟ ପରେ ସତର୍କ ହୋଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଏଥର କିପରି ଶୃଙ୍ଖଳାର ସହ ପରୀକ୍ଷା କରାଯିବ ସେଥିପାଇଁ କଡା ପଦକ୍ଷେପ ନେଇଛନ୍ତି ।