ଶ୍ରୀମନ୍ଦିର ଜୟବିଜୟ ଦ୍ୱାରରେ ପଡ଼ିଲା ରୁପା ଛାଉଣି
ଶ୍ରୀମନ୍ଦିର ଜୟବିଜୟ ଦ୍ୱାରରେ ରୁପା ଚାଦର ପଡ଼ିଛି । ନାଟମଣ୍ଡପ ଓ ଜଗମୋହନକୁ ସଂଯୋଗ କରୁଥିବା ଜୟବିଜୟ ଦ୍ୱାର ରୁପା ଚାଦର ପଡ଼ିବା ପରେ ଝଲସି ଉଠିଛି । ବୁଧବାର ବେହେରଣ ଦ୍ୱାର କାଠ କବାଟ ଲାଗି ସାରିଛି । ଏହି କବାଟ ଉପର ରୁପା ଚାଦର ପଡ଼ିବା କାମ ଶେଷ ହେବା ଆଶା କରାଯାଉଛି ।
(ପୁରୀ) : ଶ୍ରୀମନ୍ଦିର ଜୟବିଜୟ ଦ୍ୱାରରେ ରୁପା ଚାଦର ପଡ଼ିଛି । ନାଟମଣ୍ଡପ ଓ ଜଗମୋହନକୁ ସଂଯୋଗ କରୁଥିବା ଜୟବିଜୟ ଦ୍ୱାର ରୁପା ଚାଦର ପଡ଼ିବା ପରେ ଝଲସି ଉଠିଛି । ବୁଧବାର ବେହେରଣ ଦ୍ୱାର କାଠ କବାଟ ଲାଗି ସାରିଛି । ଏହି କବାଟ ଉପର ରୁପା ଚାଦର ପଡ଼ିବା କାମ ଶେଷ ହେବା ଆଶା କରାଯାଉଛି । ବାକି ବେହରଣ ଦ୍ୱାର କାମ ମଧ୍ୟ ଗୁରୁବାର ସୁଦ୍ଧା ଶେଷ କରିବାକୁ କାର୍ଯ୍ୟାସୂଚୀ ରହିଛି ।
ଅନ୍ୟପକ୍ଷରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଦ୍ୱାରା ଶ୍ରୀମନ୍ଦିରର ବାର୍ଷିକ ମରାମତି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନିର୍ଦ୍ଧାରିତ ସମୟ ସୀମାରେ ମହାପ୍ରଭୁଙ୍କ ଅନୁପସ୍ଥିତିରେ ଶ୍ରୀମନ୍ଦିର ଗର୍ଭଗୃହର ସ୍ଥିତି ଯାଞ୍ଚ, ଜଗମୋହନରେ ୱେଦର ପେଣ୍ଟ ଲେପନ, ଭୋଗମଣ୍ଡପ ଚଟାଣର ପଥର ଫାଙ୍କା ଯୋଡ଼େଇ, ଭୋଗ ରାସ୍ତାରେ ନଷ୍ଟ ହୋଇଥିବା ପଥର ପରିବର୍ତ୍ତନ, ଭୋଗମଣ୍ଡପ ରାସ୍ତା ଛାତ ମରାମତି, ଲକ୍ଷ୍ମୀ ମନ୍ଦିର ମରାମତିରେ ପାଞ୍ଚଟି ଷ୍ଟିଲ ସ୍ଥାପନ, ଲକ୍ଷ୍ମୀ ମନ୍ଦିର ଛାତ ମରାମତି ଆଦି କାମ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହି ତାଲିକା ମଧ୍ୟରୁ ଭୋଗମଣ୍ଡପ ରାସ୍ତାରେ ନୂତନ ପଥର ସ୍ଥାପନ, ଭୋଗ ମଣ୍ଡପ ଚଟାଣ ପଥର ଯୋଡେଇ, ଗର୍ଭଗୃହର ରାସାୟନିକ ସଫେଇ, ରତ୍ନସିଂହାସନ ରାସାୟନିକ ସଫେଇ, ଜଗମୋହନରେ ୱେଦର ପେଣ୍ଟିଂ, ମା’ ଲକ୍ଷ୍ମୀଙ୍କ ମନ୍ଦିର ଗର୍ଭଗୃହ ପ୍ରବେଶ ପଥ ଦ୍ୱାରବନ୍ଧ ଉପରେ ସାତ ଫୁଟ ଲମ୍ବାର ଷ୍ଟେନଲେସ୍ ଷ୍ଟିଲ ବିମ୍ ସ୍ଥାପନ କାମ ଶେଷ ହୋଇଛି ।