ଛାତ୍ରୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ବଡ଼ ଘୋଷଣା, କାର୍ଯ୍ୟକାରୀ ହେବ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ

ଭୁବନେଶ୍ଵର: ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ବଡ଼ ଘୋଷଣା । ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ କାର୍ଯ୍ୟକାରୀ ହେବ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯିବ । ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ କାର୍ଯ୍ୟ କରିବ ଏହି ଯୋଜନା । ଏଥିପାଇଁ ଏକ ୬ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ । ଏଥିସହ ଶକ୍ତିଶ୍ରୀ ମୋବାଇଲ୍‌ ଆପ୍‌ ମଧ୍ୟ କାର୍ଯ୍ୟ କରିବ । ଯଦି ଛାତ୍ରୀ ଅସୁବିଧାରେ ପଡ଼ନ୍ତି ନାମ ଗୋପନ ରଖି ଏହି ଆପରେ ପଞ୍ଜୀକୃତ କରିପାରିବେ । ଏହି ଯୋଜନାରେ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହି ଯୋଜନା ଛାତ୍ରୀମାନଙ୍କ ସଶକ୍ତୀକରଣ ଓ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବ । ମୁଖ୍ୟତଃ ୮ଟି ଦିଗକୁ ଗରୁତ୍ବ ଦିଆଯିବ । ସେହିପରି ଉଚ୍ଚ ଶିକ୍ଷାନୁଷ୍ଠାନରେ ‘ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର’ ସ୍ଥାପନ କରାଯିବ । ଶକ୍ତିଶ୍ରୀ ଆପ୍‌ର SOS ବଟନ୍‌ ବ୍ୟବହାର କରି ତୁରନ୍ତ ସାହାଯ୍ୟ ନେଇପାରିବେ । SAFE କ୍ୟାମ୍ପେନ୍‌ ସହ କ୍ୟାମ୍ପସ୍‌ ସୁରକ୍ଷା ରିପୋର୍ଟ ଡିସେମ୍ବର ୩୧ ସୁଦ୍ଧା ଦେବେ । ମହାବିଦ୍ୟାଳୟ/ ବିଶ୍ବବିଦ୍ୟାଳୟରେ CCTV କ୍ୟାମେରା ଲଗାଯିବ । ବର୍ଷକୁ ଥରେ ‘ଶକ୍ତି ସ୍ବରୂପିଣୀ’ ଏକଦିବସୀୟ କର୍ମଶାଳା ମଧ୍ୟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ପ୍ରତ୍ୟେକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଏକ ସ୍ଥାୟୀ “ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର” ସ୍ଥାପନ କରାଯିବ ଯାହା ଛାତ୍ରୀମାନଙ୍କ ଦ୍ୱାରା ପରିଚାଳିତ ହେବ। ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରରେ ଜଣେ ଛାତ୍ରୀ “ଶକ୍ତିଶ୍ରୀ ସାଥୀ” ଓ ଜଣେ ଅଧ୍ୟାପିକା “ଶକ୍ତିଶ୍ରୀ ସଂଯୋଜିକା” ଭାବରେ ଉକ୍ତ କେନ୍ଦ୍ରର ପରିଚାଳନା କରିବେ। ଏହା ସହିତ ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ ହୋଇଥିବା ୫ ଜଣ ବିଶିଷ୍ଟ କାର୍ଯ୍ୟରତ ମହିଳା “ଶକ୍ତି ଅପା” ଭାବରେ କାର୍ଯ୍ୟ କରିବେ। ଏହି “ଶକ୍ତି ଅପା”ମାନେ ପ୍ରତି ୩ ମାସରେ ଥରେ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବେ ଏବଂ ଛାତ୍ରୀମାନଙ୍କ ପାଇଁ ମେଣ୍ଟର ଭଳି କାର୍ଯ୍ୟ କରିବେ। ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀ, ଅଧ୍ୟାପିକା ଏବଂ ମହିଳା କର୍ମଚାରୀମାନଙ୍କର ସୁରକ୍ଷା ଓ ସଶକ୍ତିକରଣ ଦିଗରେ ଏହି ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର କାର୍ଯ୍ୟ କରିବ। ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ଏକ “୬ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ” ଆୟୋଜନ କରିବ। ଛାତ୍ରୀମାନଙ୍କୁ ବିଭିନ୍ନ ବ୍ୟାଚ୍‌ରେ ବିଭକ୍ତ କରାଯାଇ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯିବା ସହିତ ଆଇନଗତ ଅଧିକାର ତଥା Mental Health ସମ୍ପର୍କରେ ମଧ୍ୟ ଶିକ୍ଷା ପ୍ରଦାନ କରାଯିବ।

ତେବେ ଏହି ‘ଶକ୍ତିଶ୍ରୀ ଅଭିଯାନ’ର ପ୍ରମୁଖ ବିନ୍ଦୁ ଗୁଡିକ ହେଲା ବିଶ୍ୱବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା ତାଲିମ । ଛାତ୍ରୀମାନଙ୍କୁ ମାନସିକ ସ୍ୱାସ୍ଥ୍ୟ ତାଲିମ ଏବଂ ସମର୍ଥନ ପ୍ରଦାନ । ୨୪/୭ ସକ୍ରିୟ ଏକ ଉତ୍ସର୍ଗୀକୃତ ଶକ୍ତିଶ୍ରୀ ମୋବାଇଲ୍ ଆପ୍ । ଅଭିଯୋଗ ପରିଚାଳନା ପାଇଁ ଆଭ୍ୟନ୍ତରୀଣ କମିଟି ଗଠନ । ସୁରକ୍ଷିତ ପରିବେଶ ପାଇଁ ଅଧ୍ୟାପକ ଏବଂ କର୍ମଚାରୀଙ୍କ ପାଇଁ  ଆଚରଣ ସଂହିତା । ଶିକ୍ଷାନୁଷ୍ଠାନ ପ୍ରତିବର୍ଷ ଡିସେମ୍ବର ସୁଦ୍ଧା ବାର୍ଷିକ ସୁରକ୍ଷା ଅଡିଟ୍ ରିପୋର୍ଟ ଦେବେ । କାର୍ଯ୍ୟକ୍ରମର କ୍ରିୟାନ୍ୱୟନର ତଦାରଖ କରିବେ ସରକାର । ଛାତ୍ରୀଙ୍କ ପାଇଁ ନିରାପଦ କ୍ୟାମ୍ପସ ଇକୋସିଷ୍ଟମ ଗଠନ ଉପରେ ଫୋକସ ରଖିବା ।