ଭୁବନେଶ୍ୱର: ରାଜ୍ୟରେ ପୁଣିଥରେ ସାଂଘାତିକ ଖରା ମାଡ଼ିଆସୁଛି। ଆସନ୍ତା ଶନିବାରଠାରୁ ଅସହ୍ୟ ଗରମ ସହ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି। India Meteorological Department (ଆଇଏମଡି) ଅନୁସାରେ, ଏପ୍ରିଲ ୧୧ ତାରିଖରୁ ଉପକୂଳ ଓ ଆଖପାଖ ଅଞ୍ଚଳରେ ପ୍ରବଳ ଖରା ପରିସ୍ଥିତି ସୃଷ୍ଟି ହେବା ନେଇ ଆଲର୍ଟ ଜାରି କରାଯାଇଛି।
ତେବେ ତାପମାତ୍ରା ବୃଦ୍ଧି ପୂର୍ବରୁ ଆଜି ଓ କାଲି ରାଜ୍ୟରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ଏହାର ପ୍ରଭାବରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ଏବଂ ଝଡ଼ୋହା ବାତାସ ବହିବାର ସମ୍ଭାବନା ରହିଛି। ଏନେଇ ଆଜି ୨୦ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।
ସେହିଭଳି ଆସନ୍ତାକାଲି ଉପକୂଳ ଓ ଉତ୍ତର ଓଡ଼ିଶାର ୧୦ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି ହୋଇଛି। ଏହି ବର୍ଷା ପରେ ରାଜ୍ୟରେ ତାପମାତ୍ରା ହଠାତ୍ ବଢ଼ିବା ସହିତ ଖରାର ପ୍ରକୋପ ତୀବ୍ର ହେବ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଏପ୍ରିଲ ୧୧ ଓ ୧୨ ତାରିଖରେ ଅସହ୍ୟ ଗରମ ଅନୁଭୂତ ହେବ। ଏହି ପରିସ୍ଥିତିକୁ ନଜରରେ ରଖି ୧୧ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଉପକୂଳ ଓ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ସେଲସିଅସ୍ ଅତିକ୍ରମ କରିପାରେ ବୋଲି ଅନୁମାନ କରାଯାଉଛି।
ଏହି ପରିସ୍ଥିତିରେ ସାଧାରଣ ଲୋକଙ୍କୁ ଦିନ ୧୧ଟାରୁ ବିକେଳ ୩ଟା ପର୍ଯ୍ୟନ୍ତ ଅନାବଶ୍ୟକ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ପ୍ରଚୁର ପାଣି ପିଇବା, ହାଲୁକା ପୋଷାକ ପିନ୍ଧିବା ଓ ଶିଶୁ ଏବଂ ବୃଦ୍ଧଙ୍କୁ ବିଶେଷ ସତର୍କତାରେ ରଖିବାକୁ କୁହାଯାଇଛି।
ରାଜ୍ୟରେ କାଳବୈଶାଖୀ ପରେ ତୀବ୍ର ଗରମର ଏହି ଦୁଇମୁଖୀ ପ୍ରଭାବ ଲୋକଜୀବନକୁ ପ୍ରଭାବିତ କରିପାରେ ବୋଲି ଅନୁମାନ କରାଯାଉଛି।