ରାଇରଙ୍ଗପୁର : ପୋଲ ଭାଙ୍ଗି ନଦୀରେ ଦୁଇ ଯୁବକ ନିଖୋଜ ଘଟଣା । ଜଣଙ୍କୁ ଗାଁ ଲୋକେ ବହୁ କଷ୍ଟରେ ତାଙ୍କୁ ଉଦ୍ଧାର କରିଥିଲେ । ଅନ୍ୟ ଜଣେ ଗର୍ଭରେ ଲୀନ ହୋଇଯାଇଥିଲେ। ତେବେ ନଦୀରେ ଲୀନ ହୋଇଥିବା ବ୍ୟକ୍ତିଙ୍କ ମୃତ ଶରୀରକୁ ଠାବ କରାଯାଇଛି । ତେବେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧିନସ୍ଥ ମଣଦା ଫାଣ୍ଡି ଅଞ୍ଚଳ ଆହ୍ଲାପାଣି ଗ୍ରାମର ଦୁଇ ଯୁବକ ୪୫ ବର୍ଷିୟ ଗୋପିନାଥ ପାତ୍ର ଓ ୪୦ ବର୍ଷିୟ ଦିବାକର ଟୁଡୁ ଗତ ଶୁକ୍ରବାର ସନ୍ଧ୍ୟାରେ ସମୟରେ ମଣଦାରୁ ନିଜ କାମ ସାରି ଫେରୁଥିବା ସମୟରେ କାଶିଦା- ବଡଗୁଡା ଅନ୍ଧାରୀ ନଦୀର ଉପରେ କାଠପୋଲଟି ଲଗାଣ ବର୍ଷା ଯୋଗୁଁ ଭାସି ଯାଇଥିଲା । ମାତ୍ର ଭାଗ୍ୟବଶତଃ ଗୋପିନାଥ ଭାସିଯାଇ କାଶିତାଣ୍ଡି ଵୁଦାରେ ଲଟକି ଯାଇଥିଲେ ।
ଅନ୍ୟ ପକ୍ଷରେ ଦିବାକର ଟୁଡୁ ନଦୀ ଗର୍ଭରେ ଲୀନ ହୋଇଯାଇଥିଲେ।ଖବର ପାଇ ବିଶୋଇ ପୋଲିସ, ବିଶୋଇ ଅଗ୍ନିଶମ ବିଭାଗ ଓ ମଣଦା ଫାଣ୍ଡି ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ଗତ ଦୁଇ ଦିନ ଧରି ଖୋଜିବା ପରେ ଆଜି ରବିବାର ସକାଳୁ ମଣଦା ଫାଣ୍ଡି ଅଧିକାରୀ ବିନୟ କୁମାର ବେହେରା,ମାନସ ମଣ୍ଡଳ, ଯଶୋବନ୍ତ ମହାନ୍ତ,ରାଇସେନ୍ ବାବୁ, ଟୁଡୁ ବାବୁ, ଗ୍ରାମ ରକ୍ଷୀ ସମେତ ଆହ୍ଲାପାଣି ଓ ଅନ୍ଧାରଝରୀ ଗାଁ ଲୋକେ ମିଶି ନଦୀ କୂଳେ କୂଳେ ଖୋଜିବା ଆରମ୍ଭ କରିଥିଲେ ଫଳରେ ରବିବାର ମଧ୍ୟାହ୍ନ ସମୟରେ ଅନ୍ଧାରଝରୀ ଗାଁ ମୁଣ୍ଡ ନଦୀରେ ଭାସମାନ ଅବସ୍ଥାରେ ଦିବାକର ଟୁଡୁ ର ମୃତ୍ୟ ଦେହ ଠାବ କରିଥିଲେ।ପରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ନଦୀ ଗର୍ଭରୁ ଦିବାକର ଟୁଡୁ କୁ ଉଦ୍ଧାର କରିଥିଲେ।
ଏ ବାବଦରେ ମଣଦା ଫାଣ୍ଡି ଅଧିକାରୀ ବିନୟ କୁମାର ବେହେରା ଏକ ଅପମୃତ୍ୟୁ ମାମଲା ୨୪/୨୨ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଥିଲେ । ସେଠାରେ ସଂଧ୍ୟାରେ ପୋଲିସ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ଦିବାକର ଟୁଡୁ ଜଣେ ଦିନ ମଜୁରୀଆ ।ଘରେ ତାଙ୍କର ଦୁଇଟି ସାନ ଝିଅ ଓ ପତ୍ନୀ ଅଛନ୍ତି ।ଦୁଃଖରେ ସେମାନେ ଭାଙ୍ଗି ପଡିଛନ୍ତି । ସରକାର ସହାୟତା ପାଇଁ ଗ୍ରାମବାସୀ ଦାବି କରୁଛନ୍ତି ।