ରାଷ୍ଟ୍ରପତିଙ୍କୁ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର ସ୍ୱତନ୍ତ୍ର ଉପହାର ପ୍ରଦାନ କଲେ ରାଜ୍ୟପାଳ

ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ ଥିବା ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ପରମ୍ପରାର ପ୍ରତୀକ ସ୍ୱରୂପ ସ୍ୱତନ୍ତ୍ର ଉପହାର ପ୍ରଦାନ କରିଛନ୍ତି। ମଙ୍ଗଳବାର ସକାଳେ ଲୋକସେବା ଭବନରେ ଏହି ଉପହାର ପ୍ରଦାନ କରାଯାଇଥିଲା।

ରାଷ୍ଟ୍ରପତିଙ୍କ ବ୍ରହ୍ମପୁର ଗସ୍ତ ପୂର୍ବରୁ ଆୟୋଜିତ ଏହି ସୌଜନ୍ୟ ସାକ୍ଷାତକାରରେ ରାଜ୍ୟର ପ୍ରଥମ ମହିଳା ଡ଼. ଜୟଶ୍ରୀ କମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଓଡ଼ିଶାର ପାରମ୍ପରିକ କଳା, କାରିଗରୀ ଏବଂ ସାଂସ୍କୃତିକ ଐତିହ୍ୟର ଝଲକ ପ୍ରଦର୍ଶନ କରୁଥିବା ତିନୋଟି ସ୍ୱତନ୍ତ୍ର କଳାକୃତି ରାଷ୍ଟ୍ରପତିଙ୍କୁ ଭେଟି ଦିଆଯାଇଥିଲା।

ଉପହାର ମଧ୍ୟରେ ଜାତୀୟ ହସ୍ତତନ୍ତ ପୁରସ୍କାରପ୍ରାପ୍ତ ଏବଂ ଜିଆଇ (GI) ଟ୍ୟାଗ ସ୍ୱୀକୃତିପ୍ରାପ୍ତ ସମ୍ବଲପୁରୀ ବାନ୍ଧ ଶାଢ଼ୀ, ପିପିଲିର ପ୍ରସିଦ୍ଧ ଚାନ୍ଦୁଆ ଭେଲଭେଟ ଉତ୍ତରୀୟ ଏବଂ କଟକର ବିଶ୍ୱପ୍ରସିଦ୍ଧ ରୂପା ତାରକସି କଳାରେ ନିର୍ମିତ ଭଗବାନ ଗଣେଶଙ୍କ ପ୍ରତିମୂର୍ତ୍ତି ସାମିଲ ଥିଲା।

ଏହି କଳାକୃତିଗୁଡ଼ିକ କେବଳ ଓଡ଼ିଶାର କାରିଗରଙ୍କ ଅତୁଳନୀୟ ଦକ୍ଷତାର ପରିଚୟ ନୁହେଁ, ବରଂ ରାଜ୍ୟର ସମୃଦ୍ଧ ହସ୍ତତନ୍ତ, ହସ୍ତଶିଳ୍ପ ଓ ସାଂସ୍କୃତିକ ଐତିହ୍ୟକୁ ଜାତୀୟ ସ୍ତରରେ ଉପସ୍ଥାପନ କରିବାର ଏକ ପ୍ରୟା

ସ ବୋଲି କୁହାଯାଉଛି।

ରାଜ୍ୟପାଳଙ୍କ ଏହି ସୌଜନ୍ୟମୂଳକ ଉପହାର ପ୍ରଦାନ ମାଧ୍ୟମରେ ଓଡ଼ିଶାର କଳା, ସଂସ୍କୃତି ଓ ପାରମ୍ପରିକ କାରିଗରୀକୁ ସମ୍ମାନ ଜଣାଇବା ସହ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅସୀନ ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ରାଜ୍ୟର ଶ୍ରଦ୍ଧା ଓ ସମ୍ମାନର ଭାବନା ମଧ୍ୟ ପ୍ରକାଶ ପାଇଛି।