ଭୁବନେଶ୍ୱର: ସାଇବର ଅପରାଧର ମୁକାବିଲାକୁ ଆହୁରି ସୁଦୃଢ଼ କରିବା ସହ ଡିଜିଟାଲ ଫରେନ୍ସିକ୍ସ କ୍ଷେତ୍ରରେ ପୋଲିସର ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶା ପୋଲିସର ସିଆଇଡି–କ୍ରାଇମବ୍ରାଞ୍ଚ ଏବଂ ନ୍ୟାସନାଲ ଫରେନ୍ସିକ ସାଇନ୍ସ ୟୁନିଭର୍ସିଟି (NFSU), ଭୁବନେଶ୍ୱର ମଧ୍ୟରେ ମଙ୍ଗଳବାର ଏକ ୫ ବର୍ଷିଆ ବୁଝାମଣାପତ୍ର (MoU) ସ୍ୱାକ୍ଷର ହୋଇଛି। ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (DGP) ଯୋଗେଶ ବାହାଦୁର ଖୁରାନିଆଙ୍କ ଉପସ୍ଥିତିରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଏବଂ NFSU କ୍ୟାମ୍ପସ ନିର୍ଦ୍ଦେଶିକା ଡ଼. ପୁରବୀ ପୋଖରିୟାଲ ଏହି ଚୁକ୍ତିରେ ସ୍ୱାକ୍ଷର କରିଥିଲେ। ଏହି ଅବସରରେ DGP ‘ସାଇବର ଅପରାଧ ତଦନ୍ତ ଓ ଡିଜିଟାଲ ଫରେନ୍ସିକ୍ସ’ ଶୀର୍ଷକ ପ୍ରଥମ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଥିଲେ।

‘ଐତିହାସିକ ପଦକ୍ଷେପ’ କହିଲେ DGP
DGP ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି, ଓଡ଼ିଶା ପୋଲିସର ଆଧୁନିକୀକରଣ ଓ ବୈଜ୍ଞାନିକ ତଦନ୍ତ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାରେ ଏହି MoU ଏକ ଐତିହାସିକ ମାଇଲଖୁଣ୍ଟ। ବର୍ତ୍ତମାନ ସମୟରେ ଅଧିକାଂଶ ଅପରାଧରେ ଡିଜିଟାଲ ପ୍ରମାଣର ଭୂମିକା ବଢ଼ୁଥିବାରୁ ପ୍ରତ୍ୟେକ ପୋଲିସ ଅଧିକାରୀଙ୍କ ପାଇଁ ଇଲେକ୍ଟ୍ରୋନିକ୍ ପ୍ରମାଣ ସଂଗ୍ରହ, ସଂରକ୍ଷଣ ଓ ବିଶ୍ଳେଷଣ ସମ୍ପର୍କିତ ଦକ୍ଷତା ଅତ୍ୟାବଶ୍ୟକ ବୋଲି ସେ କହିଛନ୍ତି। ସେ କହିଛନ୍ତି, ମ୍ୟୁଲ୍ ଆକାଉଣ୍ଟ, ଅନଲାଇନ୍ ଇନଭେଷ୍ଟମେଣ୍ଟ ଠକେଇ, ‘ଡିଜିଟାଲ ଗିରଫ’ ପରି ସାଇବର ଅପରାଧ ବଢ଼ୁଥିବା ବେଳେ ନୂଆ ଫୌଜଦାରୀ ଆଇନରେ ଫରେନ୍ସିକ ବିଜ୍ଞାନକୁ ତଦନ୍ତର କେନ୍ଦ୍ରବିନ୍ଦୁ କରାଯାଇଛି।

୨୦ଟି ନୂଆ ସାଇବର ଥାନା, ୧୫ କୋଟିର ଆଧୁନିକ ଉପକରଣ
ସାଇବର ଅପରାଧର ମୁକାବିଲା ପାଇଁ ରାଜ୍ୟରେ ୨୦ଟି ନୂଆ ସାଇବର ଓ ଆର୍ଥିକ ଅପରାଧ ଥାନା ସ୍ଥାପନ କରାଯାଇଛି। ସେହିପରି ସମସ୍ତ ଥାନାକୁ ପ୍ରାୟ ୧୫ କୋଟି ଟଙ୍କାର ଆଧୁନିକ ହାର୍ଡୱେର ଓ ସଫ୍ଟୱେର ଯୋଗାଇ ଦିଆଯାଇଛି। ଏହି ଉପକରଣଗୁଡ଼ିକର ସଠିକ୍ ବ୍ୟବହାର ପାଇଁ ଉନ୍ନତମାନର ପ୍ରଶିକ୍ଷଣ ଆବଶ୍ୟକ ବୋଲି DGP କହିଛନ୍ତି।

୪୮୦ ପୋଲିସ କର୍ମଚାରୀଙ୍କୁ ମିଳିବ ପ୍ରଶିକ୍ଷଣ
କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି, ୨୦୨୭ ଜାନୁଆରୀ ସୁଦ୍ଧା ରାଜ୍ୟର ୩୪ଟି ପୋଲିସ ଜିଲ୍ଲା ଏବଂ କ୍ରାଇମବ୍ରାଞ୍ଚର ୪୮୦ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ୧୬ଟି ବ୍ୟାଚ୍ରେ ପ୍ରଶିକ୍ଷଣ ଦିଆଯିବ। ପ୍ରତ୍ୟେକ ବ୍ୟାଚ୍ରେ ୩୦ ଜଣ ଅଂଶଗ୍ରହଣ କରିବେ। କନଷ୍ଟେବଲ୍ଠାରୁ ଆରମ୍ଭ କରି DSP ପର୍ଯ୍ୟନ୍ତ ଅଧିକାରୀମାନେ ଏଥିରେ ସାମିଲ ହେବେ। ୬ ଦିନିଆ ଏହି ପ୍ରଶିକ୍ଷଣରେ ୫ ଦିନ NFSUରେ ଶ୍ରେଣୀଗୃହ ଓ ପରୀକ୍ଷାଗାର ଭିତ୍ତିକ ପ୍ରଶିକ୍ଷଣ ଏବଂ ୧ ଦିନ ସାଇବର କମ୍ପ୍ଲେକ୍ସରେ ପ୍ରାକ୍ଟିକାଲ୍ ପ୍ରଶିକ୍ଷଣ ଦିଆଯିବ।

ପ୍ରଶିକ୍ଷଣରେ ସୀମିତ ରହିବନି ସହଯୋଗ
ଏହି ବୁଝାମଣାପତ୍ର କେବଳ ପ୍ରଶିକ୍ଷଣରେ ସୀମିତ ରହିବ ନାହିଁ। ଅପରାଧସ୍ଥଳ ପରିଚାଳନା, ଉଚ୍ଚଶିକ୍ଷା, ମିଳିତ ଗବେଷଣା, ଫରେନ୍ସିକ୍ ଭିତ୍ତିଭୂମିର ବିକାଶ ଏବଂ ବୈଷୟିକ ପରାମର୍ଶ କ୍ଷେତ୍ରରେ ମଧ୍ୟ ଉଭୟ ଅନୁଷ୍ଠାନ ମିଳିତ ଭାବେ କାମ କରିବେ।
DGP ପ୍ରଥମ ବ୍ୟାଚ୍ର ପ୍ରଶିକ୍ଷାର୍ଥୀଙ୍କୁ ଆହ୍ୱାନ ଜଣାଇ କହିଥିଲେ ଯେ, ପ୍ରଶିକ୍ଷଣ ଶେଷ ପରେ ନିଜ ଜିଲ୍ଲାକୁ ଫେରି ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ମଧ୍ୟ ଏହି ଜ୍ଞାନ ବାଣ୍ଟିବାକୁ, ଯାହାଦ୍ୱାରା ରାଜ୍ୟରେ ବୈଜ୍ଞାନିକ ଓ ପ୍ରଯୁକ୍ତିନିର୍ଭର ତଦନ୍ତ ବ୍ୟବସ୍ଥା ଆହୁରି ମଜବୁତ ହୋଇପାରିବ।