(ରିପୋର୍ଟସ ଟୁଡ଼େ / ଭୁବେନଶ୍ୱର ): ପୁରୀ, କୋଣାର୍କକୁ ଆଲୋକୀକରଣ କରିବାକୁ ପ୍ରଥମେ ୧୩୨ କେଭି ଟାୱାର୍ ଲାଇନ୍ଗୁଡ଼ିକୁ କାର୍ୟ୍ୟକ୍ଷମ କରାଯାଉଛି । ଏହି ଲାଇନ୍ ଚନ୍ଦକା ଫିଡର୍ରୁ ନିମାପଡ଼ା, କୋଣାର୍କ ଏବଂ ପୁରୀ ଫିଡରକୁ ସଂଯୋଗ କରାଯିବ । ଏହି ରୁଟ୍ର ୧୫ଟି ସ୍ଥାନରେ ୧୩୨ କେଭି ଟାୱାର୍ ନଷ୍ଟ ହୋଇଥିବାରୁ ପୁନରୁଦ୍ଧାର କାର୍ୟ୍ୟରେ ବିଳମ୍ବ ହେଉଛି । ଏଥିପାଇଁ ୯ଟି ନୂଆ ଟାୱାର୍ ଏବଂ ୬ଟି ଏମର୍ଜେନ୍ସି ଟାୱାର୍ ସ୍ଥାପନ କରାଯାଇଛି ।
ବିଦ୍ୟୁତ ସେବା ସ୍ୱାଭାବିକ କରିବା ପାଇଁ ଦିନରାତି ଏକ କରି କାମରେ ଲାଗିଛନ୍ତି କର୍ମଚାରୀ । ତଦାରଖ କରୁଛନ୍ତି ବିଦ୍ୟୁତ ବିଭାଗର ବରିଷ୍ଠ ଅଧିକାରୀ । କେବଳ ରାଜ୍ୟ ନୁହେଁ ବାହାରୁ କୁଶଳୀ କର୍ମଚାରୀଙ୍କୁ ବିଦ୍ୟୁତ୍ ସଂଯୋଗୀକରଣ କାର୍ୟ୍ୟରେ ନିୟୋଜିତ କରାଯାଇଛି । ବିଦ୍ୟୁତ୍ ସଂଯୋଗୀକରଣ କାର୍ୟ୍ୟରେ ଲାଗିଛନ୍ତି ସାଉଥ୍କୋ, ୱେସ୍କୋ, ଗ୍ରୀଡ୍କୋର ୩୦୦ରୁ ଅଧିକ ଇଂଜିନିୟର ଏବଂ ଅଫିସର୍ । ନିମାପଡ଼ା, କୋଣାର୍କ ଏବଂ ପୁରୀ ମଧ୍ୟରେ ପଶ୍ଚିମବଙ୍ଗର ୨୫୦ ଏବଂ ତେଲେଙ୍ଗାନାରୁ ୪୦୦ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସେମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ଖାଇବା ଓ ରହିବା ପାଇଁ ବ୍ୟବସ୍ଥା ହୋଇଛି ।