ଆସନ୍ତାକାଲି ଲଣ୍ଡନରେ ହେବାକୁ ଥିବା ରଥଯାତ୍ରାକୁ ନେଇ ତୀବ୍ର ଅସନ୍ତୋଷ

ଭୁବନେଶ୍ଵର-: ପୁଣି ତେଜିଲା ଇସ୍କନ ର ଅଦିନିଆ ରଥଯାତ୍ରା ବିବାଦ । ଆସନ୍ତାକାଲି ଲଣ୍ଡନରେ ହେବାକୁ ଥିବା ରଥଯାତ୍ରାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେବାୟତମାନେ ରାଜ୍ୟ ଓ କେନ୍ଦ୍ର ସରକାର ହସ୍ତକ୍ଷେପ କରିବାକୁ ଦାବି କରିବା ସହ ତୁରନ୍ତ ଇସ୍କନର ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ କହିଛନ୍ତି । ରଥଯାତ୍ରାରେ ସାମିଲ ହେବାକୁ ଅନଲାଇନରେ ପ୍ରଚାର ହେଉଛି । ତେବେ ଏହି ରଥଯାତ୍ରା ପୋଷ୍ଟରରେ ବ୍ୟାପକ ଭୁଲ ରହିଥିବା ମଧ୍ୟ ଦେଖିବାକୁ ମିଳିଛି । ରଥଯାତ୍ରା ସମ୍ପର୍କରେ କୌଣସି ମୌଳିକ ଧାରଣା ନ ଥିବା ଦେଖାଯାଇଛି । ପୋଷ୍ଟ ହୋଇଥିବା କାର୍ଡରେ ତିନି ରଥରେ ଯେଉଁ ଠାକୁରଙ୍କୁ ବସାଇବା କଥା ବସାଯାଇନାହିଁ । ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷରେ ଦେବୀ ସୁଭଦ୍ରାଙ୍କୁ ବସାଯାଇଛି । ତାଳଧ୍ବଜରେ ବଳଭଦ୍ରଙ୍କ ବଦଳରେ ଶ୍ରୀଜଗନ୍ନାଥ ଓ ଦର୍ପଦଳନ ରଥରେ ଦେବୀ ସୁଭଦ୍ରାଙ୍କ ବଦଳରେ ବଳଭଦ୍ର ବସିଥିବା ଫଟୋ ସେୟାର ହୋଇଛି ।

ଶାସ୍ତ୍ରୀୟ ମତ ଅନୁଯାୟୀ, ପ୍ରତ୍ୟେକ ବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଛି । କିନ୍ତୁ ଇସ୍କନ ପକ୍ଷରୁ ଏହାକୁ ଉଲ୍ଲଙ୍ଘନ କରି ମୁମ୍ବଇ ସମେତ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଅଦିନିଆ ରଥଯାତ୍ରା ଆୟୋଜନ କରିଆସୁଛି । ଚଳିତ ମାସ ୧୮ରେ ଲଣ୍ଡନରେ ଅଦିନିଆ ରଥଯାତ୍ରା କରିବ ଇସ୍କନ । ଏହି ପ୍ରସଙ୍ଗକୁ କେନ୍ଦ୍ରକରି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପୂର୍ବରୁ ଉଦ୍‌ବେଗ ପ୍ରକାଶ ପାଇଥିଲା । ନିର୍ଦ୍ଧାରିତ ତିଥିରେ ରଥଯାତ୍ରା ଆୟୋଜନ ପାଇଁ ଗଜପତି ମହାରାଜା ଚିଠି ଲେଖି ଇସ୍କନକୁ ପରାମର୍ଶ ଦେଇଥିଲେ । କେବଳ ସେତିକି ନୁହେଁ, ଇସ୍କନ କର୍ମକର୍ତ୍ତାଙ୍କୁ ନେଇ କିଛିଦିନ ପୂର୍ବେ ଭୁବନେଶ୍ୱରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଏସବୁ ସତ୍ତ୍ୱେ ଚଳିତ ମାସ ୧୮ରେ ରଥଯାତ୍ରା ଆୟୋଜନ ପାଇଁ ଇସ୍କନ ଲଣ୍ଡନ ପକ୍ଷରୁ ଘୋଷଣା କରାଯାଇଛି ।