ନିଆଳୀ ନୂଆଗାଁ ସ୍ଥିତ ରାଧାକାନ୍ତ ମଠ ସାମ୍ନାରେ ନିର୍ମାଣ ହେବ ୧୦୦ ସଂଖ୍ୟା ବିଶିଷ୍ଟ ଗୋଶାଳା । ଏଥିପାଇଁ ରାଧାକାନ୍ତ ମଠ ସେବାଶ୍ରମ ଟ୍ରଷ୍ଟ ପକ୍ଷରୁ ଏକ ଭବ୍ୟ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ନିଆଳୀ ବିଧାୟକ ଛବି ମଲ୍ଲିକ ରାଜ୍ୟ ବିଜେପି ପ୍ରବକ୍ତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଯୁବ ସଂଗଠକ ଶଶିକାନ୍ତ ଲେଙ୍କା ଙ୍କ ସମେତ ନିଆଳୀ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସମାଜସେବୀ ଯୋଗଦେଇଥିବା ପରିଲକ୍ଷିତ ହୋଇଛି। ପ୍ରଥମେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ନୂଆଗାଁ ରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବା ସହିତ ବାଜା ବାଣ ରୋଷଣୀରେ ଶିଳାନ୍ୟାସ ସ୍ଥଳକୁ ନିଆଯାଇଥିଲା ସେଠାରେ ନୂଆଗାଁ ରାଧାକାନ୍ତ ମଠର ମହନ୍ତ ଶ୍ରୀ ଦିବ୍ୟକୃଷ ଦାସ ମହାରାଜ ଏବଂ ନୂଆଗାଁ ଗ୍ରାମପଞ୍ଚାୟତ ର ସରପଞ୍ଚ ଜ୍ୟୋତି ରଞ୍ଜନ ମଲ୍ଲିକଙ୍କ ଉପସ୍ଥିତିରେ ଶୁଭ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ପରେ ପରେ ପରିବେଶ ସୁରକ୍ଷା ତଥା ଶିଳାନ୍ୟାସ ଦିବସକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ସଭାରେ ନିଆଳୀ ଏବଂ ଏହାର ଆଖପାଖ ଅଞ୍ଚଳର ଦେଶସେବା ରେ ନିଜକୁ ନିୟୋଜିତ କରିଥିବା ବହୁ ଅବସରପ୍ରାପ୍ତ ବୀର ସୈନିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।