ଆଦିବାସୀଙ୍କ ଅଧିକାର ସୁରକ୍ଷା ସହ ଗ୍ରାମୀଣ ବିକାଶକୁ ଗୁରୁତ୍ୱ। ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ଅନ୍ତର୍ଗତ ପି. ସଇଲଙ୍ଗ ଗ୍ରାମରେ ଗ୍ରାମବାସୀଙ୍କୁ ସାମୁଦାୟିକ ଜଙ୍ଗଲ ଅଧିକାର ଓ ସାମୁଦାୟିକ ଜଙ୍ଗଲ ସମ୍ପଦ ଅଧିକାରର ଶିରୋନାମା ପ୍ରଦାନ କରାଯାଇଛି। ଏଥିସହ ନବନିର୍ମିତ କମ୍ୟୁନିଟି ହଲ୍ ଉଦ୍ଘାଟିତ ହୋଇଥିବା ବେଳେ ଛେଳିଗଡ଼ ବୁଡ଼ି ଅଞ୍ଚଳର ବିସ୍ଥାପିତ ଓ ଆଂଶିକ ବିସ୍ଥାପିତ ପରିବାରଙ୍କୁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇଦେବା ନେଇ ଜିଲ୍ଲାପାଳ ଆଶ୍ୱାସନା ଦେଇଛନ୍ତି। ସୋମବାର ଅକ୍ଟୋବର ୧୨ ତାରିଖରେ ପି. ସଇଲଙ୍ଗ ଗ୍ରାମରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ଅନୁମୋଦିତ ଜଙ୍ଗଲ ଅଧିକାର ଶିରୋନାମା ଗ୍ରାମର ଜଙ୍ଗଲ ଅଧିକାର କମିଟିକୁ ହସ୍ତାନ୍ତର କରାଯାଇଥିଲା।

ଜଙ୍ଗଲ ଅଧିକାର ଆଇନ, ୨୦୦୬ ଅନୁଯାୟୀ ଏହି ସ୍ୱୀକୃତି ଦ୍ୱାରା ଗ୍ରାମବାସୀ ଜଙ୍ଗଲ ସମ୍ପଦର ସୁରକ୍ଷା, ସଂରକ୍ଷଣ ଓ ସ୍ଥାୟୀ ପରିଚାଳନାରେ ଅଧିକ ଭାଗୀଦାର ହୋଇପାରିବେ। ଏହି ଅବସରରେ ନବନିର୍ମିତ କମ୍ୟୁନିଟି ହଲ୍କୁ ମଧ୍ୟ ଉଦ୍ଘାଟନ କରାଯାଇଥିଲା। ଏହା ଗ୍ରାମବାସୀଙ୍କ ବୈଠକ, ସାମାଜିକ କାର୍ଯ୍ୟକ୍ରମ ଓ ସାମୂହିକ ଆଲୋଚନା ପାଇଁ ଉପଯୋଗୀ ହେବ। ଅନ୍ୟପଟେ, ଛେଳିଗଡ଼ ଜଳବୁଡ଼ି ଅଞ୍ଚଳରେ ବିସ୍ଥାପିତ ଓ ଆଂଶିକ ବିସ୍ଥାପିତ ପରିବାରଙ୍କ ସମସ୍ୟାକୁ ନେଇ ଜିଲ୍ଲାପାଳ କହିଥିଲେ ଯେ, ସମସ୍ତ ହିତାଧିକାରୀଙ୍କୁ ସରକାରୀ ନିୟମ ଅନୁଯାୟୀ ମିଳିବାକୁ ଥିବା ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଏହି ଘୋଷଣା ବିସ୍ଥାପିତ ପରିବାରଙ୍କ ଥଇଥାନ ଓ ଜୀବନଜୀବିକା ସୁରକ୍ଷା ଦିଗରେ ଗୁରୁତ୍ୱ ବହନ କରୁଛି। କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳଙ୍କ ସମେତ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ, ଉପଜିଲ୍ଲାପାଳ, ରା. ଉଦୟଗିରି ତହସିଲଦାର ଓ ଅନ୍ୟାନ୍ୟ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ।
