(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଓ ଭାରତକୁ ଟାର୍ଗେଟ କରି କହିଛନ୍ତି, ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ)ର କେତେକ କୋହଳ ଆଇନର ଫାଇଦା ନେଉଛନ୍ତି ଚୀନ, ଭାରତ ପରି ଦେଶ । ଏବେ ଆଉ ବିକାଶଶୀଳ ଦେଶ ଶ୍ରେଣୀରେ ଉଭୟ ଦେଶ ନାହିଁ । କିନ୍ତୁ ବିକାଶଶୀଳ ଦେଶମାନଙ୍କ ପାଇଁ ଉଦ୍ଦିଷ୍ଟ ସୁବିଧା ସୁଯୋଗ ଉପଭୋଗ କରୁଛନ୍ତି । ଆଗକୁ ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ସେ ସୁପାରିଶ କରିବେ ।
ସୂଚନା ଯୋଗ୍ୟ, ଗତ ଜୁଲାଇ ମାସରେ ଟ୍ରମ୍ପ ବିଶ୍ୱ ବାଣିଜ୍ୟ ସଂଗଠନକୁ ପ୍ରଶ୍ନ କରିଥିଲେ, କେଉଁ ମାନଦଣ୍ଡ ଆଧାରରେ ଚୀନ ଓ ଭାରତକୁ ବିକାଶଶୀଳ ରାଷ୍ଟ୍ରର ମାନ୍ୟତା ପ୍ରଦାନ କରେ? କୌଣସି ବୃହତ ଅର୍ଥନୀତି ଯେପରି ବିକାଶଶୀଳ ଦେଶ ନାଁରେ ଫାଇଦା ନ ଉଠାଏ ତାହା ନିଶ୍ଚିତ କରିବାକୁ ଡବ୍ଲୁଟିଓରେ ଥିବା ଆମେରିକାର ପ୍ରତିନିଧିଙ୍କୁ ଟ୍ରମ୍ପ ନିର୍ଦ୍ଦେଶ ଦେଇଛନ୍ତି । ଆମେରିକା ଏବଂ ଚୀନ ମଧ୍ୟରେ ବାଣିଜ୍ୟ କାରବାରକୁ ନେଇ ଗତ କିଛି ମାସ ହେଲା ତୀକ୍ତତା ବଢିଯାଇଛି ।