ପ୍ରେମିକକୁ ଥାନାରେ ଅଟକ ରଖିଲା ପୁଲିସ

ଅନୁଗୁଳ /ଜ୍ୟୋତିରଞ୍ଜନ ଧର: ଅନୁଗୁଳ ଥାନା ଅନ୍ତର୍ଗତ ଆଙ୍କୁଲା ଗ୍ରାମର ଜଣେ ଯୁବକଙ୍କ ସହିତ ବୁଧବାର ସଦର ଥାନା ବଲାସିଙ୍ଗା ଗାଁର ଜଣେ ଯୁବତୀଙ୍କ ସହ ବିବାହ ହେଉଥିଲା । ଆଙ୍କୁଲା ଗାଁ ପାଖ ଏକ ମନ୍ଦିର ନିକଟରେ ଏହି ବିବାହ ଚାଲିଥିବା ସମୟରେ ମୂଷାପାପୁଲି ଗାଁର ଗଦାଧର ନାଏକ ଓ ତାଙ୍କର ଜଣେ ସହଯୋଗୀ ସେଠାରେ ପହଞ୍ଚିଥିଲେ । ବିବାହ କରୁଥିବା ଯୁବତୀ ଜଣଙ୍କୁ ସେ ଭଲ ପାଉଛନ୍ତି ଓ ତାକୁ ହିଁ ବିବାହ କରିବେ ବୋଲି କହିବା ସହ ବିବାହ ବନ୍ଦ କରିବାକୁ ଧମକ ଦେଇଥିଲେ । କିନ୍ତୁ ତାଙ୍କ କଥାକୁ କେହି ଗୁରୁତ୍ଵ ନ ଦେଇ ବିବାହ କାର୍ୟ୍ୟରେ ଲାଗି ରହିଥିଲେ ।

ଏଥିରେ ହତାଶ ହୋଇ ଗଦାଧର ଏକ ନକଲି ବନ୍ଧୁକ ଦେଖାଇ ସମସ୍ତଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ସେ ଯୁବତୀ ଜଣଙ୍କୁ ନେଇ ଫେରାର୍ ହେବାକୁ ଚେଷ୍ଟା ମଧ୍ୟ କରିଥିଲେ । କିନ୍ତୁ ଏଥିରେ ଅସଫଳ ହେବାରୁ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ସହ ବିବାହ କରୁଥିବା ଯୁବତୀଙ୍କ ଉପରକୁ ମଧ୍ୟ ପେଟ୍ରୋଲ ଫିଙ୍ଗିଥିଲେ । ତେବେ ଯୁବକଜଣଙ୍କ ନିଜ ଦେହରେ ନିଆଁ ଲଗାଇବା ପୂର୍ବରୁ ଅନ୍ୟମାନେ ତାଙ୍କୁ କାବୁ କରି ନେଇଥିଲେ । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଖବର ପାଇ ଅନୁଗୁଳ ଥାନା ପୁଲିସର ପିସିଆର ଭ୍ୟାନ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ୨ ଯୁବକଙ୍କୁ ଆଣି ଅନୁଗୁଳ ଥାନାରେ ରଖି ପଚରାଉଚୁରା କରୁଛି ।