ନୌସେନା ହେଲିକପ୍ଟର ଫନି ମୁକାବିଲା ପାଇଁ ପ୍ରସ୍ତୁତ

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ସାମୁଦ୍ରିକ ଝଡ ଫନି ପାଇଁ ନୌସେନା ପକ୍ଷରୁ ପ୍ରସ୍ତୁତି କରାଯାଇଛି। ବାତ୍ୟା ପରେ ହେଲିକପ୍ଟର ଆଇଏନଏସ ଦେଗା ଓ ରାଜାଲିକୁ ନୌସେନା ପ୍ରସ୍ତୁତ ରଖିଛିି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବାତ୍ୟା ଫନି ଏପ୍ରିଲ ୩ ସନ୍ଧ୍ୟା ୫ଟାରେ ପୁରୀ ଜିଲ୍ଲାରେ ସ୍ପର୍ଶ କରିପାରେ। ରିପୋର୍ଟ ଲେଖାଯିବା ବେଳେକୁ ପାଣିପାଗ ବିଭାଗ କହିଛି ପୁରୀର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୬୫୦ କିଲୋମିଟର ଦୂରରେ ଓ ବିଶାଖାପାଟଣାଠାରୁ ୩୯୦ କିଲୋମିଟର ଦୂରରେ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ରହିଛି। ପୂର୍ବ ନୌସେନା କମାଣ (ଇଏନସି) ଝଡର ଗତିବିଧି ଉପରେ ତୀକ୍ଷ୍ନ ନଜର ରଖିଛି।
ଅତ୍ୟାବଶ୍ୟକୀୟ ରିଲିଫ ସହାୟତା, ଉଦ୍ଧାର ଏବଂ ମାନବୀୟ ସହାୟତା କାର୍ୟ୍ୟ ଲାଗି ରିଲିଫ ସାମଗ୍ରୀ ସହିତ ବିଶାଖାପାଟଣାରେ ଜାହାଜ ପ୍ରସ୍ତୁତ ହୋଇ ରହିଛି । ଆନ୍ଧ୍ରପ୍ରଦେଶ ଓ ଓଡିଶାରେ ଉଦ୍ଧାର ଏବଂ ରିଲିଫ ସହାୟତା କାର୍ୟ୍ୟ ଲାଗି ବୁଡାଳୀ ଏବଂ ଚିକିତ୍ସା ଦଳଙ୍କୁ ପ୍ରସ୍ତୁତ ରଖାଯାଇଛି। ରାଜ୍ୟ ପ୍ରଶାସନର ଆବଶ୍ୟକତା ଅନୁଯାୟୀ ଅଧିକାଂଶ ପ୍ରଭାବିତ ଅଂଚଳକୁ ଆକାଶ ମାର୍ଗରୁ ସର୍ଭେକ୍ଷଣ, ଜରୁରୀ ଉଦ୍ଧାର କାର୍ୟ୍ୟ ଏବଂ ଆକାଶ ମାର୍ଗରୁ ରିଲିଫ ସାମଗ୍ରୀ ପକେଇବା ପାଇଁ ଆଇଏନଏସ ଦେଗା ଓ ଆଇଏନଏସ ରାଜାଲି ନୌସେନା ବାୟୁଯାନକୁ ପ୍ରସ୍ତୁତ କରି ରଖାଯାଇଛି।